‘ବଣ୍ଟି ଔର ବବ୍‌ଲି ୨’ର ଟିଜର ରିଲିଜ୍‌, ୧୨ ବର୍ଷ ପରେ ଏକାଠି ନଜର ଆସିଲେ ସୈଫ୍‌ ଅଲ୍ଲୀ ଖାନ୍‌ ଓ ରାନୀ ମୁଖାର୍ଜୀ

ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ଫିଲ୍ମ ‘ବଣ୍ଟି ଔର ବବ୍‌ଲି ୨’ର ଟିଜର ଆଜି ଶୁକ୍ରବାର ୟଶରାଜ୍‌ ଫିଲ୍ମସ ପକ୍ଷରୁ ରିଲିଜ୍‌ ହୋଇଛି। ଏହା ୨୦୦୫ ମସିହାରେ ଆସିଥିବା ଫିଲ୍ମ ‘ବଣ୍ଟି ଔର ବବ୍‌ଲି’ର ସିକ୍ୱେଲ। ପ୍ରଥମ ଫିଲ୍ମରେ ଅଭିଷେକ ବଚ୍ଚନ ଓ ରାନୀ ମୁଖାର୍ଜୀ ଏକାଠି ନଜର ଆସିଥିବା ବେଳେ ଚଳିତଥର ପାର୍ଟ ୨ରେ ରାନୀ ମୁଖାର୍ଜୀଙ୍କ ସହ ସୈଫ୍‌ ଅଲ୍ଲୀ ଖାନ୍‌ ନଜର ଆସିବେ। ପରଦାରେ ସୈଫ୍‌ ଓ ରାନୀଙ୍କ ଯୋଡ଼ିଙ୍କୁ ସବୁବେଳେ ଦର୍ଶକେ ପସନ୍ଦ କରିଛନ୍ତି। ଏବେ ପୁଣିଥରେ ଏହି ସେଲିବ୍ରିଟି ଲକାଠି ନଜର ଆସିବାକୁ ଯାଉଛନ୍ତି।

ଫିଲ୍ମର ଟିଜରରେ ଦେଖାଯାଇଛି ଯେ ଫିଲ୍ମରେ ଦୁଇ ଜଣ ନୁହେଁ ବରଂ ୪ ଜଣ କଳାକାର ମୁଖ୍ୟ ଭୂମିକାରେ ଅଛନ୍ତି। ସମସ୍ତେ ଅଲଗା ଅଲଗା ଜେନେରେସନ୍‌ର। ସମସ୍ତେ ପ୍ରମାଣ କରିବାକୁ ଚାହୁଁଛନ୍ତି ଯେ ସେମାନେ ସବୁଠୁ ଭଲ। ଫିଲ୍ମର ଟ୍ରେଲର ସୋମବାର ଦିନ ରିଲିଜ୍‌ ହେବ। ନଭେମ୍ବର ୧୯ରେ ଏହି ଫିଲ୍ମଟି ହଲ୍‌କୁ ଆସିବ।

ଦେଖନ୍ତୁ ଟିଜର:

ରାନୀ ଓ ସୈଫ୍‌ଙ୍କ ସହ ଏହି ଫିଲ୍ମରେ ସିଦ୍ଧାନ୍ତ ଚତୁର୍ବେଦୀ ଓ ଅଭିନେତ୍ରୀ ଶରବରୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ବରୁଣ ବି ଶର୍ମା। ଫିଲ୍ମର ନିର୍ମାଣ କରିଛନ୍ତି ୟଶରାଜ ଫିଲ୍ମସ। ଫିଲ୍ମରେ ସୈଫ୍‌ ଓ ରାଣୀ ବଣ୍ଟି ଓ ବବ୍‌ଲି ଭୂମିକାରେ ନଜର ଆସିଛନ୍ତି। ଏହା ପୂର୍ବରୁ ଉଭୟେ ତାରା ରମ୍‌ ପମ୍‌ ଓ ହମ୍‌ ତୁମ୍‌ରେ ଲକାଠି ସ୍କ୍ରିନ୍‌ ସେୟାର କରିଛନ୍ତି।

ଏହି ଫିଲ୍ମ ବିଷୟରେ ସୂଚନା ଦେବା ଅବସରରେ ସୈଫ୍‌ ଅଲ୍ଲୀ ଖାନ୍‌ କହିଛନ୍ତି, ବଣ୍ଟି ଓ ବବ୍‌ଲି ପୁରୁଣା କପଲ ଓ ନୂଆ କପଲଙ୍କ ମଧ୍ୟରେ ମୂଷା ଓ ବିଲେଇଙ୍କ ଖେଳ। ଏଥିରେ ସମସ୍ତେ ନିଜକୁ ବେଷ୍ଟ୍‍ ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି। ଏଣୁ ଉଭୟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ, ଯାହା ଖୁବ୍‌ ମଜାଦାର ଲାଗିବ। ମୋଟ୍‌ ଉପରେ କହିବାକୁ ଗଲେ ଏହି ଫିଲ୍ମଟି ନୂଆ ପିଢ଼ି ଓ ପୁରୁଣା ପିଢ଼ି ମଧ୍ୟରେ ପ୍ରଭେଦକୁ ଦର୍ଶାଉଛି। ଦର୍ଶକଙ୍କୁ ଏହା ଏକ ନିଆରା ମନୋରଞ୍ଜନ ଦେବ ବୋଲି କଳାକାରମାନେ ଆଶା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.