‘ପବିତ୍ର ରିସ୍ତା ୨’କୁ ବୟକଟ୍‌ ପାଇଁ ଦାବି କଲେ ସୁଶାନ୍ତଙ୍କ ଫ୍ୟାନ୍‌, ଅଙ୍କିତାଙ୍କୁ କଲେ ଟ୍ରୋଲ

ପବିତ୍ର ରିସ୍ତାର ନୂଆ ସିଜନ୍‌ର ସୁଟିଂ ନିକଟରେ ଆରମ୍ଭ ହୋଇଛି। ସିରିୟଲରେ ଅଙ୍କିତା ଲୋଖଣ୍ଡେ ପୁଣିଥରେ ଅର୍ଚ୍ଚନା ଭୂମିକାରେ ଅଭିନୟ କରୁଥିବା ବେଳେ ମାନବଙ୍କ ସ୍ଥାନରେ କିନ୍ତୁ ଅଭିନୟ କରୁଛନ୍ତି ଶହୀର ଶେଖ। ପ୍ରଥମ ସିଜନ୍‌ରେ ମାନବ ଭୂମିକାରେ ସୁଶାନ୍ତ ସିଂହ ରାଜପୁତ ଅଭିନୟ କରିଥିଲେ। ଏଣୁ ଏବେ ସୁଶାନ୍ତଙ୍କ ଫ୍ୟାନ୍‌ମାନେ ସୁଶାନ୍ତଙ୍କ ଜାଗାରେ ଆଉ କାହାକୁ ଦେଖିବାକୁ ଚାହୁଁନଥିବା କହି ‘ପବିତ୍ର ରିସ୍ତା ୨’ ସିରିୟଲକୁ ବୟକଟ୍‌ କରିବାକୁ ଦାବି କରିଛନ୍ତି।

ମଙ୍ଗଳବାରଠାରୁ ଟ୍ଵିଟରରେ ହ୍ୟାସ୍‌ଟ୍ୟାଗ୍‌ ବୟକଟ୍‌ ‘ପବିତ୍ର ରିସ୍ତା-୨’ ଟ୍ରେଣ୍ଡ୍‌ କରୁଛି। ତେବେ ଶୋ’ର ସୁଟିଂ ଆରମ୍ଭ ହୋଇଥିବାରୁ ଅଙ୍କିତା ସେଟ୍‌କୁ ଫେରିଛନ୍ତି, ଯେଉଁଠାରେ ସେ ୧୨ ବର୍ଷ ପୂର୍ବେ ତଥାକଥିତ ପୂର୍ବ ପ୍ରେମିକ ସୁଶାନ୍ତ ସିଂହ ରାଜପୁତଙ୍କୁ ଭେଟିଥିଲେ। ‘ପବିତ୍ର ରିସ୍ତା ୨’ରେ ମାନବ ଭାବେ ଶହୀର ଅଭିନୟ କରୁଥିବା ବେଳେ ପୂର୍ବ ସିଜନ୍‌ରେ ପ୍ରଥମେ ସୁଶାନ୍ତ ଓ ପରେ ହିତେନ୍‌ ତେଜବାନୀ ଅଭିନୟ କରିଥିଲେ।

ତେବେ ଶୋ’କୁ ବୟକଟ୍‌ କରିବା ପାଇଁ ଦାବି କରି ସୁଶାନ୍ତଙ୍କର ଜଣେ ଫ୍ୟାନ୍‌ ଟ୍ଵିଟ୍‌ କରି କହିଛନ୍ତି, କୌଣସି କଳାକାର ସୁଶାନ୍ତଙ୍କ ସ୍ଥାନ ନେଇପାରିବେ ନାହିଁ। ସେହି ଚରିତ୍ରକୁ ବଦଳାଇବାକୁ କାହା ପାଖରେ ବି ଶକ୍ତି ନାହିଁ। ସେ ଆମ ସହ ଥିଲେ ଓ ସବୁବେଳେ ମନରେ ରହିଥିବେ। ଆମେ ତାଙ୍କ ସମ୍ମାନ ପାଇଁ ଲଢ଼େଇ ଜାରି ରଖିବୁ।

ସେହିପରି ଆଉ ଜଣେ ପ୍ରଂଶସକ କହିଛନ୍ତି, କେହି ସୁଶାନ୍ତଙ୍କ ସ୍ଥାନ ନେଇପାରିବେ ନାହିଁ। ପବିତ୍ର ରିସ୍ତା ସିରିୟଲ ସୁଶାନ୍ତଙ୍କ ପାଇଁ ଲୋକପ୍ରିୟ ଥିଲା, କୋଉ ନଟୁନ୍‌ଙ୍କିତା(ନଟଙ୍କି+ଅଙ୍କିତା) ପାଇଁ ନୁହେଁ। ଏଣୁ ଆମେ ଏହାକୁ ବୟକଟ୍‌ କରୁଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.