ଆତ୍ମହତ୍ୟା କଲେ ଲୋକପ୍ରିୟ ମଡେଲ ପୂଜା ସରକାର; ବୟଫ୍ରେଣ୍ଡଙ୍କ ସହ ଫୋନ୍‌ରେ କଥା ହେବା ପରେ ପଙ୍ଖାରେ ଝୁଲି ପଡ଼ିଲେ

କୋଲକାତାରେ ମଡେଲ ଏବଂ ଅଭିନେତ୍ରୀମାନଙ୍କ ଆତ୍ମହତ୍ୟା ଘଟଣା ଥମିବାର ନାମ ନେଉ ନାହିଁ। ଗତ କିଛି ମାସ ଭିତରେ ଅନେକ ମଡେଲ ନିଜ ଜୀବନ ହାରି ସାରିଲେଣି। ଆଉ ଏବେ ପୁଣି ଜଣେ ମଡେଲ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ସୂଚନା ମୁତାବକ, କୋଲକାତାର ଜଣାଶୁଣା ମଡେଲ ପୂଜା ସରକାର ଆତ୍ମହତ୍ୟା କରିଛନ୍ତି। ୨୧ ବର୍ଷୀୟା ପୂଜା ବହୁତ ଲୋକପ୍ରିୟ ଥିଲେ।

ରବିବାର ପୂଜାଙ୍କ ମୃତଦେହ ତାଙ୍କ ଘରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଏଠାରେ ସେ ଭଡ଼ାରେ ରହୁଥିଲେ। ପୂଜା ଶେଷଥର ଶନିବାର ନିଜର ଜଣେ ସାଙ୍ଗଙ୍କୁ ଭେଟିବା ପାଇଁ ରେଷ୍ଟୁରାଣ୍ଟ ଯାଇଥିଲେ। ସାଙ୍ଗଙ୍କୁ ଦେଖା କରି ଫେରିବା ପରେ ସେ ନିଜକୁ ରୁମ୍‌ରେ ବନ୍ଦ କରି ଦେଇଥିଲେ। କିଛି ସମୟ ପରେ ରୁମ୍‌ ଭିତରୁ କୌଣସି ବି ଶବ୍ଦ ବାହାରକୁ ଶୁଭା ଯାଇ ନ ଥିଲା। ଫଳରେ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହେବାରୁ ସେମାନେ ଏ ନେଇ ପୋଲିସକୁ ଖବର ଦେଇଥିଲେ।

ପୋଲିସ ପହଞ୍ଚି କବାଟ ଭାଙ୍ଗି ଘର ଭିତରେ ପଶିଥିଲା। ପୂଜାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବାର ମିଳିଥିଲା। ଘଟଣାସ୍ଥଳରୁ ପୋଲିସକୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ମିଳିଛି। ଯଦିଓ ଏହି ନୋଟ୍‌ରେ ପୂଜା ନିଜ ଆତ୍ମହତ୍ୟାର କାରଣ ଜଣାଇ ନାହାନ୍ତି। କିନ୍ତୁ ପୋଲିସର ପଚରାଉଚରାରେ ପୂଜାଙ୍କ ସାଙ୍ଗ ଦାବି କରିଛନ୍ତି ଯେ ମୃତ୍ୟୁ ପୂର୍ବରୁ ପୂଜା ନିଜ ବୟଫ୍ରେଣ୍ଡଙ୍କ ସହ ଅଧ ରାତିରେ ଫୋନ୍‌ରେ କଥା ହୋଇଥିଲେ।

ସୂଚନା ମୁତାବକ, ପୂଜା ସରକାର ମଡେଲିଂରେ ନିଜର କ୍ୟାରିୟର ଗଢ଼ିବା ସହିତ ପାଠ ମଧ୍ୟ ପଢ଼ୁଥିଲେ। ସେ ପଶ୍ଚିମବଙ୍ଗସ୍ଥିତ ଗୋବରଡାଙ୍ଗା କଲେଜରେ ପ୍ରଥମ ବର୍ଷର ଛାତ୍ରୀ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.