ମହାଶିବରାତ୍ରିରେ ପ୍ରଭାସଙ୍କ ଫ୍ୟାନ୍ସଙ୍କୁ ବଡ଼ ଉପହାର! ଘୋଷଣା ହେଲା ବହୁ ପ୍ରତୀକ୍ଷିତ ‘ଆଦିପୁରୁଷ’ର ରିଲିଜ୍‌ ତାରିଖ

ପବିତ୍ର ମହାଶିବରାତ୍ରି ଅବସରରେ ସାଉଥ୍‌ ସୁପରଷ୍ଟାର୍ ପ୍ରଭାସଙ୍କ ଫ୍ୟାନମାନଙ୍କ ପାଇଁ ବଡ଼ ଖୁସି ଖବର। ତାଙ୍କ ଅଭିନୀତ ତଥା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍‌ ତାରିଖ ଘୋଷଣା କରାଯାଇଛି। ପ୍ରଭାସ, କ୍ରିତି ସାନନ୍ ଓ ସୈଫ୍‌ ଅଲି ଖାନ ଷ୍ଟାରର୍‌ ‘ଆଦିପୁରୁଷ’ ଲମ୍ବା ସମୟରୁ ଚର୍ଚ୍ଚାରେ ରହି ଆସିଛି। ପ୍ରୋଜେକ୍ଟର ଘୋଷଣା ପରଠାରୁ ହିଁ ପ୍ରଶଂସକମାନେ ଏହାର ରିଲିଜ୍ ତାରିଖକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ଏବଂ ବର୍ତ୍ତମାନ ଏହି ଅପେକ୍ଷା ସମାପ୍ତ ହୋଇଛି। ନିର୍ମାତାମାନେ ଆଦିପୁରୁଷର ରିଲିଜ୍ ତାରିଖ ଘୋଷଣା କରି ଦେଇଛନ୍ତି। ନିର୍ଦ୍ଦେଶକ ଓମ ରାଉତ ସୋସିଆଲ ମିଡିଆ ଜରିଆରେ ଆଦିପୁରୁଷର ରିଲିଜ ତାରିଖ ଘୋଷଣା କରିଛନ୍ତି। ଏହା ଅନୁସାରେ ଫିଲ୍ମ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୩ ଜାନୁଆରୀ ୧୨ରେ ବଡ଼ ପରଦାରେ ମୁକ୍ତିଲାଭ କରିବ।

ଭାରୀ ବଜେଟରେ ପ୍ରସ୍ତୁତ ହେଉଥିବା ଆଦିପୁରୁଷକୁ ନେଇ ଫ୍ୟାନମାନେ ବହୁତ ଆଶାବାଦୀ ଅଛନ୍ତି। ପୂର୍ବରୁ ହିଁ ଫ୍ୟାନମାନେ ଫିଲ୍ମକୁ ନେଇ ଉତ୍ସାହିତ ରହିଛନ୍ତି। ନିକଟରେ କ୍ରିତି ସାନନ ସୋସିଆଲ ମିଡିଆ ଜରିଆରେ ଫ୍ୟାନମାନଙ୍କୁ ସୂଚନା ଦେଇଥିଲେ ଯେ ମହାଶିବରାତ୍ରି ଅବସରରେ ଆଦିପୁରୁଷକୁ ନେଇ ବଡ଼ ଘୋଷଣା ହେବ। କ୍ରିତି ସାନନ୍ ଫିଲ୍ମର ପୋଷ୍ଟର ସେୟାର କରିଥିଲେ, ଯେଉଁଥିରେ ଫିଲ୍ମର ଲୋଗୋ ନଜର ଆସିଥିଲା। ଏହି ପୋଷ୍ଟରରେ ବଡ଼ ଅକ୍ଷରରେ ଲେଖା ଯାଇଥିଲା ‘ଆନାଉନ୍ସମେଣ୍ଟ’। ଏହି ପୋଷ୍ଟର ଦେଖିବା ପରେ ଫ୍ୟାନମାନଙ୍କ ଉତ୍ସାହ ଆହୁରି ବଢ଼ି ଯାଇଥିଲା।

ଆଦିପୁରୁଷ ଟି-ସିରିଜ୍, ଭୂଷଣ କୁମାର, କୃଷ୍ଣ କୁମାର, ଓମ ରାଉତ, ପ୍ରସାଦ ସୂତାର ଏବଂ ରେଟ୍ରୋଫାଇଲ୍ସର ରାଜେଶ ନାୟରଙ୍କ ଦ୍ୱାରା ନିର୍ମିତ। ରାମାୟଣର କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ପ୍ରଭାସ ପ୍ରଭୁ ଶ୍ରୀରାମ ଓ କ୍ରିତି ସାନନ ମା’ ସୀତାଙ୍କ ଭୂମିକାରେ ନଜର ଆସିବେ। ଯେତେବେଳେ କି, ସୈଫ୍‌ ଅଲି ଖାନ ଲଙ୍କାପତି ରାବଣଙ୍କ ଭୂମିକାରେ ଦେଖା ଯିବେ। ଫିଲ୍ମର ତାଜା ଅପ୍‌ଡେଟ ମୁତାବକ, ସୈଫ୍‌ ଅଲି ଖାନ ‘ଆଦିପୁରୁଷ’ର ସୁଟିଂ ଆରମ୍ଭ କରି ଦେଇଛନ୍ତି।

You might also like