ଏରିଥ୍ରିଟୋଲ ସୃଷ୍ଟି କରିବ ଦୀର୍ଘକାଳୀନ ରୋଗ, ହୋଇପାରେ ହାର୍ଟ ଆଟାକ 

କୃତ୍ରିମ ଚିନି ବାବଦରେ କ୍ଲେଭେଲାଣ୍ଡ କ୍ଲିନିକ ଦ୍ବାରା କରାଯାଇଥିବା ଏକ ଷ୍ଟଡି ସାମନାକୁ ଆସିଛି । ତଥ୍ୟ ଅନୁଯାୟୀ କୃତ୍ରିମ ଚିନିର ବ୍ୟବହାର ଯୋଗୁଁ ଆମଶରୀରରେ ଦୀର୍ଘ କାଳୀନ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। କୃତ୍ରିମ ଚିନିକୁ ଦୀର୍ଘଦିନ ଧରି ବ୍ୟବହାର କଲେ ହାର୍ଟ ଆଟାକ ଓ ଷ୍ଟ୍ରୋକ ହେବାର ଆଶଙ୍କାରେ ବୃଦ୍ଧି ହୋଇଥାଏ।

କେନ୍ୟୁଜ୍‌(ବ୍ୟୁରୋ): ମଧୁମେୟରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ କୃତ୍ରିମ ଉପାୟରେ ତିଆରି ହେଉଥିବା ମିଠା ବା ଚିନି ଦୀର୍ଘ ଦିନରୁ ଚିନିର ଏକ ପ୍ରତିବଦଳ ହୋଇ ଆସିଛି। ଅର୍ଥାତ ଚିନି ବଦଳରେ ଏହାକୁ ବ୍ୟବହାର କରୁଛେ। ଯାହାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ବାସ୍ଥକର ବୋଲି ଦାବି କରି ଆସୁଥିଲେ। ଏହା ରକ୍ତର ସୁଗର ସ୍ତରକୁ କମାଇବା ସହ ଓଜନ ହ୍ରାସରେ ମଧ୍ୟ ସାହାଯ୍ୟ କରିଥାଏ।

କୃତ୍ରିମ ଚିନି ବାବଦରେ କ୍ଲେଭେଲାଣ୍ଡ କ୍ଲିନିକ ଦ୍ବାରା କରାଯାଇଥିବା ଏକ ଷ୍ଟଡି ସାମନାକୁ ଆସିଛି । ଯାହାର ତଥ୍ୟକୁ ନେଚର ମେଡିସିନ ନାମକ ପତ୍ରିକାରେ ପ୍ରକାଶିତ କରାଯାଇଛି। ଏଥିରେ ପ୍ରକାଶିତ ତଥ୍ୟ ଅନୁଯାୟୀ କୃତ୍ରିମ ଚିନିର ବ୍ୟବହାର ଯୋଗୁଁ ଆମଶରୀରରେ ଦୀର୍ଘ କାଳୀନ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଏରିଥ୍ରିଟୋଲ ହେଉଛି ଏକ ପପୁଲାର କୃତ୍ରିମ ଚିନି ଯାହା ଭାରତ ତଥା ବିଦେଶରେ ବହୁଳ ମାତ୍ରାରେ ବ୍ୟବହାର ହୋଇଥାଏ।

ଷ୍ଟଡିରେ ଦାବି କରାଯାଇଛି ଏହି ନିର୍ଦ୍ଦିଷ୍ଟ କୃତ୍ରିମ ଚିନିକୁ ଦୀର୍ଘଦିନ ଧରି ବ୍ୟବହାର କଲେ ହାର୍ଟ ଆଟାକ ଓ ଷ୍ଟ୍ରୋକ ହେବାର ଆଶଙ୍କାରେ ବୃଦ୍ଧି ହୋଇଥାଏ। ସଂସ୍ଥା ଦ୍ବାରା କରାଯାଇଥିବା ଏକ ଗବେଷଣାରୁ ଏହିତଥ୍ୟ ସାମନାକୁ ଆସିଛି। ଏହି ଗବେଷଣା ୟୁଏସ, ୟୁକେ ଓ କାର୍ଡିଓ ଭାସକୁଲାର ରୋଗରେ ପୀଡ଼ିତ ଥିବା ୪ ହଜାର ଲୋକଙ୍କୁ ନେଇ କରାଯାଇଥିଲା।

କ୍ଲେଭେଲାଣ୍ଡ କ୍ଲିନିକର ଗବେଷକ ଏହାସହ ପରୀକ୍ଷା କରି ଦେଖିଥିଲେ, ଏରିଥ୍ରିଟୋଲର ପ୍ରଭାବ ରକ୍ତରେ ଥିବା ପ୍ଲେଟଲେଟ ଉପରେ ପଡ଼ୁଛି। ଯାହାକୁ ସେଲ ଫ୍ରାଗମେଣ୍ଟସ ବା ଥ୍ରୋମ୍ବୋସାଇଟସ କୁହାଯାଏ। ଯାହା ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରିଥାଏ। ଏହାସହ ଏହା ରକ୍ତର ପ୍ରବାହକୁ କମାଇବାରେ ମୁଖ୍ୟତଃ ଦାୟୀ ହୋଇଥାଏ। ଗବେଷଣା ତଥ୍ୟ ଅନୁଯାୟୀ ଏରିଥ୍ରିଟୋଲ ପ୍ଲେଟଲେଟକୁ ଆକ୍ଟିଭ କରିବାସହ ଜମାଟ ବାନ୍ଧିବାରେ ସହାୟକ ହେଉଛି।

ଏରିଥ୍ରିଟୋଲ ଚିନି ଅପେକ୍ଷା ୭୦ ପ୍ରତିଶତ ମିଠା ହୋଇଥାଏ। ଏହାକୁ ଫରମେଣ୍ଟିଂ କର୍ଣ୍ଣରୁ ପ୍ରସ୍ତୁତ କରାଯାଇଥାଏ। ଏହାକୁ ଆମ ଶରୀରରେ ଥିବା ହଜମ ପ୍ରକ୍ରିୟା ହଜମ କରିପାରି ନଥାଏ। ଏହାସହ ଏହା ରକ୍ତରେ ଯାଇ ମିଶିଥାଏ। ଏହା ମୁତ୍ରଦ୍ବାରା ଶରୀରରୁ ବାହାରକୁ ବାହାରିଥାଏ। ସାଧାରଣଭାବେ ମଣିଷ ଶରୀର ଅଳ୍ପ ପରିମାଣର ଏରିଥ୍ରିଟୋଲ ସୃଷ୍ଟି କରିଥାଏ। ଯଦି ଏହାର ପରିମାଣରେ ବୃଦ୍ଧିଘଟେ ଏହା ଶରୀର ଉପରେ କୁପ୍ରଭାବ ପକାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.