ସନ୍ଧ୍ୟା ବେଳେ ସ୍ନାକ୍ସରେ ଖାଆନ୍ତୁ ନଡ଼ିଆ ଚିପ୍ସ, ଟେଷ୍ଟ୍‍ ପୂରା ଜବରଦସ୍ତ

ଅଧିକାଂଶ ଲୋକ ଏବେ ଫିଟ୍‌ନେସ୍‌ ପ୍ରତି ଅଧିକ ଦୃଷ୍ଟି ଦେଉଛନ୍ତି। ଏଣୁ ତେଲଛଣା ଜିନିଷ ଠାରୁ ଦୂରେଇ ରହୁଛନ୍ତି। ସେହିଭଳି ଆଉ କିଛି ନିଜ ଡାଏଟ୍‌କୁ ନେଇ ବେଶ୍‌ ଯତ୍ନବାନ୍‌ ଥାଆନ୍ତି। ଏଭଳି ସ୍ଥିତିରେ ଭୋକକୁ ଶାନ୍ତ କରିବା ପାଇଁ କିଛି ଏଭଳି ଖାଦ୍ୟ ଦରକାର, ଯାହା ଲୋ-ଫ୍ୟାଟ୍‌ ହେବା ସହ ପେଟ ପୂରିବାରେ ମଧ୍ୟ ସାହାଯ୍ୟ କରିବ। ସନ୍ଧ୍ୟା ବେଳେ ସ୍ନାକ୍ସରେ କ’ଣ ଖାଇବେ ବୋଲି ଯଦି ଆପଣ ଜାଣିପାରୁନାହାନ୍ତି, ତେବେ ଆପଣଙ୍କ ପାଇଁ ସବୁଠୁ ଭଳ ବିକଳ୍ପ ହେଉଛି ନଡ଼ିଆ ଚିପ୍ସ। ଆସନ୍ତୁ ଜାଣିବା ଏହାକୁ ତିଆରି କରିବା ପ୍ରଣାଳୀ…

ଆବଶ୍ୟକୀୟ ସାମଗ୍ରୀ:

ଦୁଇଟି କଞ୍ଚା ନଡ଼ିଆ, ୨ ଚାମଚ ମହୁ, ଅଧ ଚାମଚ ଡାଲଚିନି ପାଉଡର, ଏକ ଚତୁର୍ଥାଂଶ କପ୍‌ ପାଣି, ଅଳ୍ପ ନଡ଼ିଆ ତେଲ, ଚିଲ୍ଲୀ ଫ୍ଲେକ୍ସ

ପ୍ରସ୍ତୁତି ପ୍ରଣାଳୀ:

ନଡ଼ିଆକୁ ଛୁରୀରେ ସରୁ ସରୁ କରି କାଟି ଦିଅନ୍ତୁ। ଏବେ ଓଭେନ୍‌କୁ ୧୮୦ ଡିଗ୍ରୀରେ ପ୍ରି-ହିଟ୍‌ କରନ୍ତୁ। ଗୋଟେ ଗିନାରେ ମହୁ, ପାଣି, ନଡ଼ିଆ ତେଲ ଓ କଟା ନଡ଼ିଆକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ ବେକିଂ ଟ୍ରେରେ ରଖି ଓଭେନ୍‌ରେ ରଖନ୍ତୁ। ୧୦-୧୫ ମିନିଟ୍‌ ପରେ ଓଭେନ୍‌ରୁ ବାହାର କରି ଥଣ୍ଡା ହେବା ପରେ ଏହା ଉପରେ ଚିଲ୍ଲୀ ଫ୍ଲେକ୍ସ, ଡାଳଚିନି ପାଉଡର ପକାଇ ସର୍ଭ କରନ୍ତୁ ‘ନଡ଼ିଆ ଚିପ୍ସ’। ଆପଣ ଚାହିଁଲେ ଏହାକୁ ଡବାରେ ଭରି ୨-୩ ଯାଏଁ ମଧ୍ୟ ରଖିପାରିବେ।