ସୁପ୍ରିମ୍‌କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଶାଶୁଘରେ ସ୍ତ୍ରୀକୁ ଯାହା ବି ଆଘାତ ଲାଗିବ, ସେଥିପାଇଁ କେବଳ ସ୍ୱାମୀ ହିଁ ଦାୟୀ ରହିବ

ସ୍ୱାମୀମାନଙ୍କ ପାଇଁ ସତର୍କ ବାଣୀ। ଏଣିକି ଶାଶୁଘରେ ସ୍ତ୍ରୀକୁ ଯାହା ବି କିଛି ଆଘାତ ଲାଗିବ, ସେଥିପାଇଁ ଆଉ କେହି ନୁହନ୍ତି, ବରଂ ସ୍ୱାମୀ ହିଁ ଦାୟୀ ରହିବ। ଏପରି କି, ଶାଶୁ, ଶ୍ୱଶୁର ଏବଂ ସମ୍ପର୍କୀୟମାନେ ବି ଯଦି ବୋହୂକୁ ମାରପିଟ କରନ୍ତି କିମ୍ବା କୌଣସି ପ୍ରକାର କଷ୍ଟ ପହଞ୍ଚାନ୍ତି, ତେବେ ମଧ୍ୟ ସ୍ୱାମୀମାନଙ୍କୁ ଦାୟୀ କରାଯିବ। ସୋମବାର ସୁପ୍ରିମ୍‌କୋର୍ଟ ଏହା କହିଛନ୍ତି। ସ୍ତ୍ରୀକୁ ମାରପିଟ କରିଥିବା ଜଣେ ବ୍ୟକ୍ତିଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ସମୟରେ ସୁପ୍ରିମ୍‌କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

ଖବର ମୁତାବକ, ଅଭିଯୁକ୍ତ ବ୍ୟକ୍ତି ଜଣକଙ୍କର ଏହା ତୃତୀୟ ବିବାହ ହୋଇଥିବା ବେଳେ ମହିଳାଙ୍କର ଦ୍ୱିତୀୟ ବିବାହ। ୨୦୧୮ରେ ଦମ୍ପତିଙ୍କର ଏକ ପିଲା ହୋଇଥିଲା। ପୀଡ଼ିତା ମହିଳା ଗତ ଜୁନ୍‌ରେ ନିଜ ଶାଶୁଘର ଲୋକଙ୍କ ବିରୋଧରେ ଲୁଧିଆନା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ଯୌତୁକ ଦାବି ପୂରଣ ନ କରି ପାରିବାରୁ ଶାଶୁଘର ଲୋକେ ତାଙ୍କୁ ପିଟିଛନ୍ତି।

ସେପଟେ ଅଭିଯୁକ୍ତ ସ୍ୱାମୀ ନିଜ ଓକିଲ ମାଧ୍ୟମରେ ଯେତେବେଳେ ସୁପ୍ରିମ୍‌କୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କଲେ, ତ CJI ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାକୁ ଖାରଜ କରି ଦେଲେ। ଖଣ୍ଡପୀଠ ଅଭିଯୁକ୍ତଙ୍କୁ କହିଥିଲେ ଯେ ‘ଆପଣ ଆପଣଙ୍କ ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ନେଇ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି। ତାଙ୍କର ଗର୍ଭପାତ ମଧ୍ୟ ହୋଇଯାଇଛି। ଆପଣ କେଉଁଭଳି ବ୍ୟକ୍ତି। ଏକ କ୍ରିକେଟ ବ୍ୟାଟ୍‌ରେ ସ୍ତ୍ରୀଙ୍କୁ ପିଟୁଛନ୍ତି?’

ଯଦିଓ ମହିଳା ଜଣକ ବ୍ୟାଟ୍‌ରେ ପିଟିବାର ଅଭିଯୋଗ ତାଙ୍କ ଶ୍ୱଶୁରଙ୍କ ଉପରେ ଲଗାଇଥିଲେ। କିନ୍ତୁ ଯେତେବେଳେ ଓକିଲ ଏ ବିଷୟରେ କହିଲେ, ତ କୋର୍ଟଙ୍କୁ ଏହାର କୌଣସି ଫରକ ପଡ଼ି ନ ଥିଲା କି, ମହିଳାଙ୍କୁ ବ୍ୟାଟ୍‌ରେ ପ୍ରକୃତରେ କିଏ ମାରିଛି। ଶାଶୁଘରେ ମହିଳାଙ୍କୁ ଯଦି କୌଣସି ବି ଆଘାତ ଲାଗୁଛି, ତ ଏଥିପାଇଁ କେବଳ ଜଣେ ମାତ୍ର ବ୍ୟକ୍ତି ସ୍ୱାମୀ ହିଁ ଦାୟୀ ରହିବ ବୋଲି କୋର୍ଟ କହିଥିଲେ।