କିଛି ଚଟ୍‌ପଟା ଖାଇବାକୁ ଇଚ୍ଛା ହେଉଥିଲେ, ଆଜି ଟ୍ରାଏ କରନ୍ତୁ ରାଜମା ପନୀର ମସଲା

ରାଜମା ଓ ପନୀରର ଅନେକ ଆଇଟମ୍‌ ତ ଆପଣ ଖାଇଥିବେ। କିନ୍ତୁ କେବେ ଏହି ଦୁଇଟି ଜିନିଷକୁ ମିଶାଇ ରାନ୍ଧିଛନ୍ତି କି! ଯଦି ନା’ ତେବେ ଆଜି ଆସନ୍ତୁ ଶିଖିବା ରାଜମା ପନୀର ମସଲା। ଏହି ଆଇଟମ୍‌ ଖାଇବାକୁ ଯେମିତି ସ୍ୱାଦିଷ୍ଟ, ଶରୀର ପାଇଁ ସେମିତି ପୁଷ୍ଟିକର। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକୀୟ ସାମଗ୍ରୀ:

ରାଜମା, ପନୀର, ଅଦା-ରସୁଣ ପେଷ୍ଟ, ଟମାଟୋ, ଧନିଆ ପାଉଡର, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦୀ ଗୁଣ୍ଡ, ତେଲ, ଲୁଣ, ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:

ରାଜମା ପନୀର ମସଲା ତିଆରି କରିବା ପାଇଁ ଗୋଟିଏ ଦିନ ପୂର୍ବରୁ ରାଜମାକୁ ପାଣିରେ ଭିଜାଇ ଦିଅନ୍ତୁ। ତା’ ପର ଦିନ ରାଜମାକୁ ପାଣିରୁ ବାହାର କରି ପ୍ରେସରରେ ସିଝାନ୍ତୁ। ରାଜମା ସିଝିଯିବା ପରେ ଗ୍ୟାସ୍‌ରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ପନୀରକୁ ସୁନେଲି ରଙ୍ଗର ହେବା ଯାଏଁ ଭାଜନ୍ତୁ। ତା’ପରେ ପ୍ଲେଟ୍‌କୁ କାଢ଼ି ନିଅନ୍ତୁ।

ଏବେ ବଳକା ତେଲରେ ଜିରା, ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ସେଥିରେ ଅଦା ରସୁଣ ପେଷ୍ଟ ପକାନ୍ତୁ। ଏହାକୁ ଭଲ ଭାବେ ଭାଜନ୍ତୁ। ଏବେ ଏଥିରେ ଧନିଆ ପାଉଡର, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦୀ ଓ ଟମାଟୋ ପେଷ୍ଟ ପକାଇ ୫ ମିନିଟ୍‌ ଭାଜନ୍ତୁ। ଏହା ଭଲ ଭାବେ କସି ହୋଇଗଲେ ରାଜମା ପକାନ୍ତୁ। ମସଲା ଭଲ ଭାବେ ଭାଜି ହୋଇଗଲେ ପନୀର ଓ ଆବଶ୍ୟକତା ଅନୁସାରେ ପାଣି ଓ ଲୁଣ ପକାଇ ଗୋଳାନ୍ତୁ। ୫-୧୦ ମିନିଟ୍‌ ଫୁଟିଗଲେ ଉପରେ ଧନିଆ ପତ୍ର ପକାଇ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରାଜମା ପନୀର ମସଲା। ଏହାକୁ ଆପଣ ରୁଟି କିମ୍ବା ଭାତ ସହ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.