Below header

ଚିରାଚରିତ ଉପମାକୁ ଦିଅନ୍ତୁ ନୂଆ ତଡକା, ଘରେ ଥରେ ବନାନ୍ତୁ ଟେଷ୍ଟି “ଭେଜିଟେବଲ ଉପମା”

ଭାରତୀୟ ଜଳଖିଆ ଭାବରେ ଉପମାର ଏକ ସ୍ୱତନ୍ତ୍ର ଚାହିଦା ରହିଛି । ସପ୍ତାହର ପ୍ରାୟ ଅଧିକାଂଶ ଦିନ ସକାଳ ହେଉ ଅବା ସନ୍ଧ୍ୟା ଜଳଖିଆରେ ନିହାତି ଉପମା ପ୍ରସ୍ତୁତ ହୋଇଥାଏ । ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର ପସନ୍ଦ । କିନ୍ତୁ କିଛି ଜଣଙ୍କର ସବୁବେଳେ ଅଭିଯୋଗ ଥାଏ ଯେ ଯେତେ ଚେଷ୍ଟା କଲେ ବି ସେମାନଙ୍କ ଉପମା ସେତେଟା ସ୍ୱାଦିଷ୍ଟ ହଉନାହିଁ । ସେହି ମାନଙ୍କ ସେହି ଦ୍ବନ୍ଦ୍ବକୁ ଦୂର କରିବା ପାଇଁ ଆମେ ଆଜି ତାଙ୍କ ପାଇଁ ସ୍ପେଶାଲ ଉପମା ରେସିପି ନେଇ ଆସିଛୁ । କାଲି ରବିବାର ସକାଳେ ନିଶ୍ଚିତ ରୂପେ କରି ଟ୍ରାଏ କରିବେ ।

ଆବଶ୍ୟକୀୟ ସାମଗ୍ରୀ:

ଗୋଟେ କପ ସୁଜି

୨୫ ଗ୍ରାମ ଭଜା ଯାଇଥିବା କାଜୁ

ଖଣ୍ଡେ ଅଦା

ଗୋଟେ ପିଆଜ

୩ ଟି କଂଚା ଲଙ୍କା

ଗୋଟେ କଟା ଯାଇଥିବା ଆଳୁ

ଗୋଟେ କ୍ୟାପ୍ସିକମ

ଗୋଟେ ଗାଜର

ଅଧା କପ ମାଟର

ଗୋଟେ ଚାମଚ ସୋରିଷ

veg upama

ଗୋଟେ ଚାମଚ ବିରି

ଗୋଟେ ଚାମଚ ଚଣା

ସ୍ୱାଦ ଅନୁସାରେ ଲୁଣ

ଅଧା ଚାମଚ ହଳଦୀ

ଲଙ୍କା ଗୁଣ୍ଡ

୨ ଚାମଚ ତେଲ

ଭ୍ରୁଶୃଙ୍ଗ ପତ୍ର

କଟା ଯାଇଥିବା ଧନିଆ ପତ୍ର

ଗୋଟେ ଚାମଚ ଘିଅ

ଲେମ୍ବୁ ରସ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ସୁଜିକୁ ଏକ ପତଳା ଜାଲିରେ ଛାଣି ଦିଅନ୍ତୁ ।

ଏବେ ଚୁଲିରେ ଏକ କଡେଇ ବସାନ୍ତୁ । ସ୍ଥିର କିଛି ଘିଅ ଦିଅନ୍ତୁ । ଅଥବା କିଛି ଲହୁଣୀ ବି ଦେଇପାରିବେ । ତରଳିବା ଯାଏଁ ଅପେକ୍ଷା କରନ୍ତୁ ।

ଏବେ ଆଉ ଏକ ପ୍ୟାନରେ ଦୁଇ ଚାମଚ ତେଲ ଦିଅନ୍ତୁ । ଗରମ ହୋଇଗଲେ ସେଥିରେ କିଛି ସୋରିଷ ଦିଅନ୍ତୁ । ଫୁଟିବା ଯାଏଁ ଅପେକ୍ଷା କରନ୍ତୁ ।

ଏବେ ସେଥିରେ ଚଣା ଡାଲି, ବିରି ଡାଲି, ଭ୍ରୁଶୃଙ୍ଗ ପତ୍ର ଦିଅନ୍ତୁ । ଫୁଟିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।

ପିଆଜ, ଅଦା, ଲଙ୍କା ଦେଇ 2 ମିନିଟ ପାଇଁ ଛାଡି ଦିଅନ୍ତୁ ।

ଏବେ ସେଥିରେ ପରିବା, ହଳଦୀ, ଲଙ୍କା ଗୁଣ୍ଡ, ଲୁଣ ଦିଅନ୍ତୁ ।

ଏବେ ସେଥିରେ ତିନି କପ ପାଣି ଦିଅନ୍ତୁ । ଘୋଡାଇ ଦେଇ ଆଞ୍ଚ କମେଇ ଦିଅନ୍ତୁ ।

ପରିବା ସିଝିଗଲେ ଆଉ କିଛି ପାଣି ଦେଇ ଫୁଟିବା ପରେ ସୁଜି ଦେଇ ଘାଣ୍ଟି ଦିଅନ୍ତୁ । ମନେ ରଖିବେ ଲଗାତାର ଭାବରେ ଏହାକୁ ଘାଣ୍ଟୁଥିବେ ନଚେତ ସୁଜି ବିଣ୍ଡା ବାନ୍ଧିଯାଇ ପାରେ ।

ସୁଜି ଟିକେ ମୋଟା ଓ ନରମ ହୋଇଆସିଲେ ଛାଡି ଦିଅନ୍ତୁ । ଏବେ ବାଢିଦିଅନ୍ତୁ ।

ଦରକାର ପଡିଲେ ଟିକେ ଲେମ୍ବୁ ରସ କିମ୍ବା ଟମାଟୋ ସସ କିମ୍ବା ଚି଼ଲ୍ଲୀ ସସ ସହ ଗରମ ଗରମ ଉପମାର ମଜା ନେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.