୧୧୬ ବର୍ଷରେ ପ୍ରଥମ ଥର ଚୀନରେ ୫୧ ସେଣ୍ଟିମିଟର ବରଫା ବର୍ଷା, ଫସି ରହିଛନ୍ତି ଲୋକେ; ଚାରିଆଡ଼େ ରେଡ୍‌ ଆଲର୍ଟ

ଚୀନର ଉତ୍ତର-ପୂର୍ବ ଅଞ୍ଚଳରେ ଭୀଷଣ ତୁଷାରପାତ ଲାଗି ରହିଛି। ଲିୟାଓନିଙ୍ଗ୍‌ ଅଞ୍ଚଳର ରାଜଧାନୀ ଶେନୟାଙ୍ଗ୍‌ରେ ଗତ ୨୪ ଘଣ୍ଟାରେ ୫୧ ସେଣ୍ଟିମିଟର ବରଫ ପଡ଼ିଛି, ଯାହାକି ୧୧୬ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଅର୍ଥାତ୍‌୧୧୬ ବର୍ଷରେ ପ୍ରଥମ ଥର ଚଳିତ ବର୍ଷ ନଭେମ୍ବରରେ ହିଁ ଅଧିକ ତୁଷାରପାତ ହୋଇଛି। ଏହି ତୁଷାରପାତ ଯୋଗୁ ପାରଦ ସ୍ତର ହ୍ରାସ ପାଇ ଶୂନ୍ୟ ତଳେ ପହଞ୍ଚି ଯାଇଛି। ଗୋଟିଏ ପଟେ ଶୀତ ବଢ଼ିବା ଏବଂ ଅନ୍ୟପଟେ ରାସ୍ତାରେ ବରଫ ଜମା ହୋଇ ରହିବା ଯୋଗୁ ଗ୍ରାମୀଣ ଅଞ୍ଚଳରେ ଲୋକେ ଘର ଭିତରେ ଫସି ରହିଛନ୍ତି। ଖବର ରହିଛି କି, ଭୀଷଣ ତୁଷାରପାତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ଜୀବନ ମଧ୍ୟ ଚାଲି ଯାଇଛି।

ପାଖାପାଖି ୫୬,୦୦ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ଏହାରି ଭିତରେ ଲୋକଙ୍କ ପାଇଁ ଆଉ ଏକ ସମସ୍ୟା ସାଜିଛି କି, ଘରଗୁଡ଼ିକୁ ଉଷୁମ ରଖିବା। କାହିଁକିନା, ଏଠାରେ ବିଜୁଳି ସଙ୍କଟ ଲାଗି ରହିଛି। ବିଜୁଳିର ଘୋର ଅଭାବ ହେତୁ ଲୋକେ ଏବେ ଶୀତ, ତୁଷାରପାତରୁ ରକ୍ଷା ପାଇବା ପାଇଁ ନିଜ ନିଜ ଘରକୁ ଉଷୁମ ରଖିପାରୁ ନାହାନ୍ତି। ପାଣିପାଗ ବିଭାଗର କହିବା ହେଲା, ଏକ୍‌ଷ୍ଟ୍ରିମ େଓ୍ଵଦରକୁ ନଜରରେ ରଖି ଉତ୍ତର ପୂର୍ବ ଚୀନର ୨୭ ଅଞ୍ଚଳରେ ରେଡ୍‌ ଆଲର୍ଟ ଘୋଷଣା କରାଯାଇଛି। ପରିସ୍ଥିତିକୁ ନଜରରେ ରଖି ଅଧିକାଂଶ ଏକ୍ସପ୍ରେସ୍‌ େଓ୍ଵ ଟୋଲ ଷ୍ଟେଶନକୁ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଏହି ସମୟରେ ଡାଲିୟାନ ଓ ଡ୍ୟାନଡୋଙ୍ଗ୍‌ ସହରରେ ବସ୍‌ ଏବଂ ଟ୍ରେନ୍‌ ସେବା ବି ବନ୍ଦ ରହିଛି। ଏଥି ସହିତ ସ୍କୁଲ, କଲେଜଗୁଡ଼ିକୁ ଛୁଟି କରି ଦିଆଯାଇଛି।

ଆସିପାରେ ବରଫ ତୋଫାନ

ଚୀନର ରାଷ୍ଟ୍ରୀୟ ପାଣିପାଗ ବିଭାଗ ରିପୋର୍ଟରେ କୁହାଯାଇଛି କି, ଶନିବାର ଓ ରବିବାର ଉତ୍ତର ଚୀନର କିଛି ଅଞ୍ଚଳରେ ଭୀଷଣ ତୁଷାରପାତ ହେବ। ଶନିବାର ସକାଳୁ ରବିବାର ସକାଳ ପର୍ଯ୍ୟନ୍ତ ଭିତର ମଙ୍ଗୋଲିଆ, ଶାନ୍‌ସି, ହେବେଇ, ବେଜିଙ୍ଗ୍‌, ତିୟାନଜିନ, ଲିୟାଓନିଙ୍ଗ୍‌, ହେନାନ ଭଳି କିଛି ଅଞ୍ଚଳରେ ବରଫ ତୋଫାନ ଆସି ପାରେ। କହି ରଖୁଛୁ, ଏହି ତୁଷାରପାତ ଯୋଗୁ ଚୀନରେ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇ ଯାଇଛି ଏବଂ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଏହି ସମୟରେ ଲୋକେ ନାନାଦି ସମସ୍ୟାରେ ଦିନ କାଟୁଛନ୍ତି। ସୂଚନାଥାଉ କି, ନିକଟରେ ଚୀନ ସରକାର ନିଜ ଦେଶବାସୀଙ୍କୁ ଏକ ଅପିଲ କରିଥିଲେ। ସରକାର ଅପିଲ କରି କହିଥିଲେ ଯେ ସମୟ ପୂର୍ବରୁ ଲୋକମାନେ ତୁରନ୍ତ ଖାଦ୍ୟ ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହୃତ ଜିନିଷଗୁଡ଼ିକୁ ଆଣି ଘରେ ଗଚ୍ଛିତ କରି ରଖି ଦିଅନ୍ତୁ। ମୁଖ୍ୟତଃ ଶୀତଦିନେ ଏ ସବୁ ଜିନିଷର ଅଭାବ ଏବଂ ଦରଦାମ୍ ବୃଦ୍ଧିରୁ ବଞ୍ଚିବା ପାଇଁ ସରକାର ଦେଶର ଜନତାଙ୍କୁ ଏମିତି କରିବାକୁ କହିଥିଲେ। ବିଗତ କିଛିଦିନ ଧରି ଚୀନରେ ପ୍ରବଳ ବର୍ଷା ଏବଂ ତୋଫାନ ଯୋଗୁ ଚାରିଆଡ଼େ ଛାରଖାର ଅବସ୍ଥା ସୃଷ୍ଟି ହୋଇଥିଲା, ଯେଉଁ କାରଣରୁ ହଜାର ହଜାର ହେକ୍ଟର ଚାଷଜମି ବର୍ବାଦ ହୋଇଯାଇଥିଲା। ଆଗାମୀ ଦିନମାନଙ୍କରେ ଯେପରି ଲୋକଙ୍କୁ କୌଣସି ସମସ୍ୟା ନ ହେବ, ସେଥିପାଇଁ ସରକାର ଏମିତି ସାବଧାନତା ଅବଲମ୍ବନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.