କାବୁଲରୁ ଭାରତ ଫେରିଥିବା ୧୬ ଲୋକ କରୋନା ପଜିଟିଭ, ସମସ୍ତ ୭୮ଜଣ ଯାତ୍ରୀଙ୍କୁ କରାଗଲା କ୍ୱାରେଣ୍ଟିନ୍‌

ଆଫଗାନିସ୍ତାନରୁ ଦିଲ୍ଲୀ ଫେରିଥିବା ମୋଟ ୭୮ ଯାତ୍ରୀଙ୍କ ମଧ୍ୟରୁ ୧୬ଜଣ କରୋନା ପଜିଟିଭ ମିଳିଛନ୍ତି। କାବୁଲରୁ ଗୁରୁଗ୍ରନ୍ଥ ସାହିବ ନେଇ ଫେରିଥିବା ୩ ଗ୍ରନ୍ଥୀ ମଧ୍ୟ କରୋନା ଭାଇରସ କବଳରେ ଫସିଛନ୍ତି। ଯଦିଓ ଆଶ୍ୱସ୍ତୀକର କଥା ହେଲା, କାହାର ସ୍ଥିତି ଗମ୍ଭୀର ନାହିଁ ଏବଂ କରୋନା ଭାଇରସର ଲକ୍ଷଣ ବି ନାହିଁ। କିନ୍ତୁ ରିପୋର୍ଟ ଆସିବା ପରେ ସମସ୍ତ ୭୮ଜଣ ଲୋକଙ୍କୁ କ୍ୱାରେଣ୍ଟିନ୍‌ କରି ଦିଆଯାଇଛି। କହି ରଖୁଛୁ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ଅନ୍ୟ ନେତା ଓ ଅଧିକାରୀ ଏ ସମସ୍ତ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ।

ଆଫଗାନିସ୍ତାନରୁ ଉଦ୍ଧାର କରି ଲୋକଙ୍କୁ ଭାରତ ଫେରାଇ ଆଣିବାର ମିଶନ ଲଗାତାର ଜାରି ରହିଛି। ଭାରତୀୟ ବାୟୁସେନାର ବିମାନ ଯୋଗେ ଲୋକଙ୍କୁ ଅଣାଯାଉଛି। ଏଥିରେ ଭାରତୀୟ ନାଗରିକଙ୍କ ସହିତ ଅଫ୍‌ଗାନୀ ନାଗରିକ ମଧ୍ୟ ସାମିଲ ଅଛନ୍ତି। ଭାରତ ଏବେ ସୁଦ୍ଧା ୫୦୦ରୁ ଅଧିକ ଲୋକଙ୍କୁ ଆଫଗାନିସ୍ତାନରୁ ସୁରକ୍ଷିତ ଭାବେ ଉଦ୍ଧାର କରି ସାରିଲାଣି।

ସେପଟେ ଦୂତାବାସରେ କାମ କରୁଥିବା ଷ୍ଟାଫ୍‌ଙ୍କୁ ପୂର୍ବରୁ ହିଁ କାବୁଲରୁ ଫେରାଇ ଅଣାଯାଇ ସାରିଛି। ଭାରତ ପ୍ରତ୍ୟେକ ଦିନ ଦୁଇଟି ବିମାନରେ ଲୋକଙ୍କୁ ଆଣିବାରେ ଲାଗିଛି। ଭାରତ ନିଜର ଏହି ମିଶନକୁ ଅପରେଶନ ଦେବୀଶକ୍ତି ନାମ ଦେଇଛି। ନିକଟରେ ଭାରତ ଦ୍ୱାରା ନେପାଳ ଓ ଲେବନାନର ନାଗରିକମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.