ନିର୍ବାଚନୀ ଚିହ୍ନ ଏବଂ ନାମ ହାସଲ କରିବା ପାଇଁ ୨୦୦୦ କୋଟି ଟଙ୍କାର ଡିଲ୍‌, ଜଲଦି ହେବ ଖୁଲାସା : ସଞ୍ଜୟ ରାଓ୍ଵତ

ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ନୂଆ ନାମ ଏବଂ ଚିହ୍ନ ପ୍ରଦାନ କରିବା ପରେ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି ଶିବସେନା ଗୋଷ୍ଠୀ । ନିର୍ବାଚନୀ ଚିହ୍ନ ଏବଂ ନାମ ପାଇଁ ୨୦୦୦ କୋଟି ଟଙ୍କାର ଡିଲ୍‌ ହୋଇଛି ବୋଲି ସଞ୍ଜୟ ରାଓ୍ଵତ କହିଛନ୍ତି ।

ନିର୍ବାଚନ କମିଶନ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସେନା ଗୋଷ୍ଠୀକୁ ‘ଶିବସେନା’ ନାମ ଏବଂ ଦଳର ‘ଧନୁ ଓ ତୀର ଚିହ୍ନ’ ପ୍ରଦାନ କରିଥିବାରୁ ଭଡକିଛନ୍ତି ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଓ୍ଵତ । ସଞ୍ଜୟ ରାଓ୍ଵତ କହିଛନ୍ତି, ନିର୍ବାଚନୀ ଚିହ୍ନ ଏବଂ ନୂଆ ନାମ ପାଇଁ ୨୦୦୦ କୋଟି ଟଙ୍କାର ଡିଲ୍‌ ହୋଇଛି। ଯାହା ବିଷୟରେ ଖୁବଶୀଘ୍ର ଖୁଲାସା ହେବ । ଟ୍ଵିଟ୍‌ କରି ସଞ୍ଜୟ କହିଛନ୍ତି, ଆମ ତୀର ଏବଂ ଧନୁ ନିର୍ବାଚନୀ ଚିହ୍ନକୁ ଛଡାଇ ନେବା ପାଇଁ ୨୦୦୦ କୋଟି ଟଙ୍କାର କାରବାର ହୋଇଛି । ଜଣେ ଜଣେ ବିଧାୟକକୁ ୫୦-୫୦ କୋଟି ଟଙ୍କା ଦିଆଯାଇଛି । ପାର୍ଟିର ଚିହ୍ନ ନେବା ପାଇଁ ନିଶ୍ଚିତ ଭାବେ ଏତେ ପଇସା ଖର୍ଚ୍ଚ କରାଯାଇଛି ମୁଁ ଭରସା ଦେଇ କହୁଛି । ଆଉ ଏହାକୁ ନେଇ ସୁପ୍ରିମକୋର୍ଟରେ ଆମେ ଅପିଲ୍‌ ମଧ୍ୟକରିବୁ ।

ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି, ଖୁବଶୀଘ୍ର ଏହାର ଖୁଲାସା ହେବ । ଏହା ପୂର୍ବରୁ ଦେଶର ଇତିହାସରେ ଏମିତି କେବେ ବି ହୋଇନାହିଁ । ଆମ ପାର୍ଟି ଉପରେ ଡକାୟତି କରାଯାଇଛି। ଏହାର ଯାଞ୍ଚ ହେବ । ଚୋର ନିଶ୍ଚିତ ଧରାପଡିବ । ଆଉ ଏହି ଚୋରି ମହଙ୍ଗା ପଡିବ । ଶିବସେନା ପାଖରୁ ନାମ ଏବଂ ଚିହ୍ନକୁ ଛଡାଇ ନିଆଯାଇଛି। ଏହା ନ୍ୟାୟ ନୁହେଁ । ଅମିତ ଶାହାଙ୍କ ଉପରେ ଭଡକିଛନ୍ତି ରାଓ୍ଵତ । ସେ କହିଛନ୍ତି, ମହାରାଷ୍ଟ୍ର କେବେ ବି ଶାହଙ୍କ କଥାକୁ ଗମ୍ଭୀର ଭାବେ ଗ୍ରହଣ କରିନି । କିଏ ଜିତିଲା କିଏ ହାରିଲା ଏହାର ନିଷ୍ପତ୍ତି ରାଜ୍ୟ ସରକାର ନେବେ ।

ସୂଚନାଯୋଗ୍ୟ, ନିର୍ବାଚନ କମିଶନ ଏକନାଥ ସିନ୍ଦେ ସରକାରଙ୍କୁ ନୂଆ ଚିହ୍ନ ଏବଂ ଦଳ ନାମ ଦେବା ପରେ ଶିବସେନା ଗୋଷ୍ଠୀ ମଧ୍ୟରେ ହଡକମ୍ପ ଦେଖାଦେଇଛି । ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଶକ୍ତ ଝଟକା ଲାଗିଛି। ଶିବସେନା ସଭାପତି ଉଦ୍ଧବ ଠାକରେ ଶନିବାର ସମର୍ଥକମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି। ଠାକରେ କହିଛନ୍ତି, ଗତ ୭୫ ବର୍ଷ ମଧ୍ୟରେ ଏଭଳି ଝଟ୍କା କେବେ କୌଣସି ଦଳକୁ ଲାଗିନି। ଯଦି ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବୁଛନ୍ତି ଯେ, ସେମାନଙ୍କ ଦ୍ବାରା ଦାସ ଭଳି ପରିଚାଳିତ କିଛି ସରକାରୀ ସଂସ୍ଥା ଶିବସେନାକୁ ଶେଷ କରିଦେବେ ତେବେ ଏହା ସମ୍ଭବ ନୁହେଁ। ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ସେ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.