୯ ଘଣ୍ଟା ଧରି ଚିତାରେ ପଡ଼ି ରହିଲା ମା’ର ଶରୀର , ସମ୍ପତ୍ତି ପାଇଁ ମଶାଣୀରେ ଝଗଡ଼ା କଲେ ୩ ଭଉଣୀ

ଅନେକ ପୁଅ ଝିଅ ଅଛନ୍ତି ଯେଉଁମାନେ ସମ୍ପତ୍ତି ପାଇଁ ହିଁ ବାପା ମା’ଙ୍କ ସେବା କରନ୍ତି । ସମ୍ପତ୍ତି ଲୋଭରେ ବାପା ମା’ଙ୍କ ସେବା ତ କରନ୍ତି କିନ୍ତୁ ଯଦି ହଠାତ ବାପା କି ମା’ ମଧ୍ୟରୁ ଜଣଙ୍କର ବି ଦେହାନ୍ତ ହୋଇଯାଏ ତେବେ ସମ୍ପତ୍ତି ପାଇଁ ତାଙ୍କ ଅନ୍ତିମ ସଂସ୍କାର ବି କରନ୍ତିନି ସ୍ୱାର୍ଥପର ପୁଅ ଝିଅ ।

ଏ ସ୍ୱାର୍ଥପର ଦୁନିଆରେ କେହି କାହାର ନୁହଁନ୍ତି । ଅନେକ ପୁଅ ଝିଅ ଅଛନ୍ତି ଯେଉଁମାନେ ସମ୍ପତ୍ତି ପାଇଁ ହିଁ ବାପା ମା’ଙ୍କ ସେବା କରନ୍ତି । ସମ୍ପତ୍ତି ଲୋଭରେ ବାପା ମା’ଙ୍କ ସେବା ତ କରନ୍ତି କିନ୍ତୁ ଯଦି ହଠାତ ବାପା କି ମା’ ମଧ୍ୟରୁ ଜଣଙ୍କର ବି ଦେହାନ୍ତ ହୋଇଯାଏ ତେବେ ସମ୍ପତ୍ତି ପାଇଁ ତାଙ୍କ ଅନ୍ତିମ ସଂସ୍କାର ବି କରନ୍ତିନି ସ୍ୱାର୍ଥପର ପୁଅ ଝିଅ । ତେବେ ଏଭଳି କିଛି ଘଟଣା ନିକଟରେ ହିଁ ଘଟିଛି । ସାମାନ୍ୟ ସମ୍ପତ୍ତି ପାଇଁ ନିଜ ମା’ର ଅନ୍ତିମ ସଂସ୍କାର କଲେନି ୩ ଝିଅ । ସମ୍ପତ୍ତି ନିଜ ନାଁରେ ନହେବା ପର୍ଯ୍ୟନ୍ତ ମା’ ମୁହଁରେ ଦେଲେନି ମୁଖାଗ୍ନି । ଦୀର୍ଘ ୮-୯ ଘଣ୍ଟା ଧରି ଚିତାରେ ପଡ଼ି ରହିଲା ମା’ର ମୃତଦେହ । ଖାଲି ଏତିକିରେ କଥା ସରି ନଥିଲା ମଶାଣୀକୁ ଷ୍ଟାମ୍ପ ପେପର ଆସିବା ପରେ ୩ ଭଉଣୀଙ୍କ ମଧ୍ୟରେ ସମ୍ପତ୍ତି ଭାଗ ହୋଇଥିଲା ।

ଏଭଳି ଅଭାବନୀୟ ଘଟଣା ମଥୁରା ଜିଲ୍ଲାରୁ ସାମ୍ନାକୁ ଆସିଛି । ଏଠାରେ ମଶାଣୀରେ ଘଟିଥିବା ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ମା’ର ମୃତ୍ୟୁ ପରେ ସମ୍ପତ୍ତି କୁ ନେଇ ୩ ଝିଅଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ସମ୍ପତ୍ତି ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ମୃତଦେହର ଅନ୍ତିମ ସଂସ୍କାର କରାଯାଇପାରିବ ନାହିଁ ବୋଲି ଝିଅମାନେ ଦାବି କରିଥିଲେ ।

ମଥୁରାର ଏକ ଶ୍ମଶାନ ଘାଟରୁ ଏଭଳି ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ୮୫ ବର୍ଷ ବୟସ୍କା ମହିଳା ପୁଷ୍ପାଙ୍କର ମୃତ୍ୟୁ ହୋଇଥିଲା । ପୁଷ୍ପାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଶେଷ ରୀତିନୀତି ପାଇଁ ଡକାଯାଇଥିଲା । ତେବେ ମୃତଙ୍କର କୌଣସି ପୁଅ ନଥିଲେ। ତେଣୁ ଶେଷ ରୀତିନୀତି ପାଇଁ ତିନି ଝିଅଙ୍କୁ ଡକା ଯାଇଥିଲା । କିନ୍ତୁ ଝିଅମାନେ ଅନ୍ତିମ ସଂସ୍କାର କରିବେ କଣ ମା’ର ସମ୍ପତ୍ତି ଭାଗ କରିବା ପାଇଁ ଜିଦ୍‌ କରି ବସିଲେ । ସମ୍ପତ୍ତି ଭାଗ ନହେବା ଯାଏଁ ମା’ ମୁହଁରେ ଅଗ୍ନି ଦେବେନି ବୋଲି ମନା କରି ଦେଇଥିଲେ ୩ ଝିଅ । ମଶାଣୀରେ ଚିତା ପାଖରେ ମୃତଦେହ ପଡ଼ି ରହିଥିଲା କିନ୍ତୁ ଝିଅମାନେ ଝଗଡ଼ାରେ ବ୍ୟସ୍ତ ଥିଲେ । ଏସବୁ ଭିତରେ ଅନେକ ଘଣ୍ଟା ବିତି ଯାଇଥିଲା ।

ଅନ୍ତିମ ସଂସ୍କାର କରିବାକୁ ଆସିଥିବା ବ୍ରାହ୍ମଣ ମଧ୍ୟ ଶଶ୍ମାନରୁ ଫେରିଗଲେ । ଏନେଇ ମୃତକଙ୍କ ପରିବାର ସଦସ୍ୟ ଚିନ୍ତିତ ହୋଇ ପଡ଼ିଲେ । କିନ୍ତୁ ଯେତେବେଳେ ଷ୍ଟାମ୍ପ ଅଣାଯାଇ ଜମି ବଣ୍ଟା ଗଲା ଅନ୍ତିମ ସଂସ୍କାର ଶେଷ ହୋଇଥିଲା ।

ମୃତ ପୁଷ୍ପାଙ୍କର କୌଣସି ପୁଅ ନାହିଁ । ତାଙ୍କର କେବଳ ତିନୋଟି ଝିଅ ଅଛନ୍ତି । ଯାହାର ନାମ ମିଥିଲେଶ, ସୁନୀତା ଏବଂ ଶଶି । ଗତ କିଛି ଦିନ ହେବ ପୁଷ୍ପା ବଡ଼ ଝିଅ ମିଥିଲେଶଙ୍କ ଘରେ ରହୁଥିଲେ । ଅଭିଯୋଗ ହୋଇଛି ଯେ ମିଥିଲେଶ ତାଙ୍କ ମାଙ୍କୁ ବୁଝାଇ ସୁଝାଇ ଏକ ଜମି ବିକ୍ରି କରିଥିଲେ ।

କିନ୍ତୁ ଏହାରି ଭିତରେ ପୁଷ୍ପାଙ୍କର ମୃତ୍ୟୁ ହୋଇଗଲା । ଏଭଳି ପରିସ୍ଥିତିରେ ମିଥିଲେଶଙ୍କ ପରିବାର ପୁଷ୍ପାଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନେଇଥିଲେ। ପୁଷ୍ପାଙ୍କ ଅନ୍ୟ ଦୁଇ ଝିଅ ସୁନୀତା ଏବଂ ଶଶି ଏହା ଜାଣିବା ମାତ୍ରେ ଶ୍ମଶାନରେ ପହଞ୍ଚିଥିଲେ । ସେମାନେ ବଡ଼ ଭଉଣୀକୁ ଦାୟୀ କରି ମା’ଙ୍କ ଅନ୍ତିମ ସଂସ୍କାର ବନ୍ଦ କରିଦେଇଥିଲେ । ଅନ୍ୟ ଦୁଇ ଭଉଣୀ ନିଜ ମା’ଙ୍କ ସମ୍ପତ୍ତି ପାଇଁ ବଡ଼ ଭଉଣୀ ସହ ବିବାଦ କରିଥିଲେ ।

ସମ୍ପତ୍ତି ପାଇଁ ଭଉଣୀମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିବାଦ ଚାଲିଥିଲା । ଯେଉଁଥିରେ ଅନ୍ତିମ ସଂସ୍କାର ପାଇଁ ଯାଇଥିବା ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ପରେ ଭଉଣୀମାନଙ୍କ ଜିଦ୍‌ ପାଇଁ ମଶାଣୀକୁ ଷ୍ଟାମ୍ପ ଆସିଥିଲା ଆଉ ଭଉଣୀମାନଙ୍କ ମଧ୍ୟରେ ସମ୍ପତ୍ତି ଭାଗ ବାଣ୍ଟ ହୋଇଥିଲା । ଆଉ ଶେଷରେ ମୃତ ମହିଳାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.