କେଦାରନାଥ ଓ ବଦ୍ରିନାଥଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ଦେବାକୁ ପଡିବ ୩୦୦ ଟଙ୍କା, ମନ୍ଦିର କମିଟି ନେଲା ନିଷ୍ପତ୍ତି
କେଦାରନାଥ ଓ ବଦ୍ରିନାଥଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ଦେବାକୁ ପଡିବ ୩୦୦ ଟଙ୍କା । ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଏହି ଘୋଷଣା କରିଛନ୍ତି । ଏହି ସୁବିଦା ଦ୍ୱାରା ଭିଆଇପି ଦର୍ଶନ ଏବଂ ପ୍ରସାଦର ବ୍ୟବସ୍ଥା ରହିଛି ।

କେଦାରନାଥ ଓ ବଦ୍ରିନାଥଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ଦେବାକୁ ପଡିବ ୩୦୦ ଟଙ୍କା ।ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଏହି ଘୋଷଣା କରିଛନ୍ତି । ଏଥିସହିତ କେଦାରନାଥରେ ୧୦୦ କିଲୋଗ୍ରାମର ଏକ ତ୍ରିଶୁଳ ସ୍ଥାପନା କରାଯିବା ମଧ୍ୟ ସୂଚନା ରହିଛି । ଏହାକୁ ନେଇ ମନ୍ଦିର କମିଟି ପକ୍ଷରୁ ସ୍ୱତନ୍ତ୍ର ପ୍ରୋଟକଲ୍ ବ୍ୟବସ୍ଥା କରାଯିବାର ଯୋଜନା ରହିଛି।
ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ବା ବିକେଟିସି ପୂର୍ବରୁ ଦେଶର ୪ଟି ପ୍ରମୁଖ ମନ୍ଦିର ତିରୁପତି ବାଲାଜୀ, ଶ୍ରୀ ବୈଷ୍ଣୋ ଦେବୀ, ମହାକାଳେଶ୍ୱର ଓ ଶ୍ରୀ ସୋମନାଥ ମନ୍ଦିରରେ ପୂଜା ଓ ଦର୍ଶନ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ୪ଟି ଟିମକୁ ପଠାଇଥିଲେ। ଏହି ଟିମର ରିପୋର୍ଟ ଆଧାରରେ, ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ବଦ୍ରିନାଥ ଓ କେଦାରନାଥଙ୍କ ଦର୍ଶନ ପାଇଁ ଆସୁଥିବା ସବୁପ୍ରକାର ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ଓ ଭୋଗ ପାଇବାର ବ୍ୟବସ୍ଥା କରିଛନ୍ତି । ଏହି ସ୍ବତନ୍ତ୍ର ଦର୍ଶନ ପ୍ରତି ବ୍ୟକ୍ତିଙ୍କୁ ୩୦୦ଟଙ୍କା ଲେଖାଏଁ ଶୁଳ୍କ ଦେବାକୁ ପଡିବ ବୋଲି କମିଟି ନିଷ୍ପତ୍ତି ନେଇଛି ।
ବିକେଟିସି କର୍ମଚାରୀ ହିଁ ମନ୍ଦିରର ପ୍ରୋଟୋକଲ ଅନୁସାରେ ଦର୍ଶନ କରିବାକୁ ଆସୁଥିବା ଭିଆଇପିଙ୍କୁ ଦର୍ଶନ କରାଇବା ଏବଂ ପ୍ରସାଦ ବିତରଣ କରିବେ । ଏହାଦ୍ୱାରା ଭିଆଇପି ସୁବିଧା ନାମରେ ଅବ୍ୟବସ୍ଥା ହେବ ନାହିଁ ।
ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି କେନାଲ ରୋଡସ୍ଥିତ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଅଜେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବଜେଟକୁ ବୋର୍ଡଙ୍କ ସମକ୍ଷରେ ଉପସ୍ଥାପନା କରିଥିଲେ। ବୋର୍ଡ ବୈଠକରେ ଆଗାମୀ ଆର୍ଥିକ ବର୍ଷ ପାଇଁ ୭୬ କୋଟି ୨୫ ଲକ୍ଷ ୭୬ ହଜାର ୬୧୮ ଟଙ୍କା ବଜେଟ ପ୍ରସ୍ତାବିତ ହୋଇଥିଲା । ତେବେ ଏଥିରୁ ବଦ୍ରିନାଥ ମନ୍ଦିରକୁ ୩୯,୯୦,୫୭,୪୯୨ କୋଟି ଓ କେଦାରନାଥ ପାଇଁ ୩୬,୩୫,୧୯,୧୨୬ କୋଟି ଟଙ୍କା ପ୍ରସ୍ତାବିତ ହୋଇଛି।