ଶାହରୁଖ ଖାନଙ୍କ ଜନ୍ମଦିନରେ ‘ମନ୍ନତ’ ବାହାରେ ପ୍ରଶଂସକଙ୍କ ଭିଡ଼, ପକେଟ୍‌ରୁ ଚୋରି ହୋଇଗଲା ୩୪ଟି ମୋବାଇଲ୍‌ ଫୋନ୍‌

ଶାହରୁଖ ଖାନଙ୍କୁ ଦେଖିବା ପାଇଁ ଫ୍ୟାନ୍‌ମାନଙ୍କ ମଧ୍ୟରେ ପ୍ରବଳ କ୍ରେଜ୍‌ ଦେଖିବାକୁ ମିଳିଥିଲା। ଏହି ଅସମ୍ଭବ ଭିଡ଼ ଏବଂ ଆତସବାଜି ମଧ୍ୟରେ ଲୋକଙ୍କ ପକେଟ୍‌ ମାର୍‌ ହୋଇଯାଇଥିଲା। ମୋଟ ୩୪ ଜଣ ଲୋକଙ୍କ ପକେଟ୍‌ରୁ ମୋବାଇଲ୍‌ ଫୋନ ଚୋରି ହୋଇଥିବା ପୋଲିସରେ ଅଭିଯୋଗ ହୋଇଛି।

ବଲିଉଡ୍‌ ବାଦଶାହ ଶାହରୁଖ ଖାନ ଗତକାଲି ଅର୍ଥାତ୍‌ ନଭେମ୍ବର ୨ରେ ନିଜର ୫୮ତମ ଜନ୍ମଦିନ ପାଳନ କରିଛନ୍ତି। ସବୁ ବର୍ଷ ଭଳି ଏଥର ମଧ୍ୟ ଶହ ଶହ ଫ୍ୟାନ୍ସ ତାଙ୍କ ଘର ‘ମନ୍ନତ୍‌’ ବାହାରେ ଜନ୍ମଦିନ ପାଳନ ପାଇଁ ଏକାଠି ହୋଇଥିଲେ। ଠିକ୍‌ ମଧ୍ୟରାତ୍ରି ୧୨ଟା ବେଳେ ମନ୍ନତର ରେଲିଂକୁ ଆସି ପ୍ରଶଂସକଙ୍କ ସହିତ ଉତ୍ସବରେ ସାମିଲ ହୋଇଥିଲେ ଶାହରୁଖ ଏବଂ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଶାହରୁଖ ଖାନଙ୍କୁ ଦେଖିବା ପାଇଁ ଫ୍ୟାନ୍‌ମାନଙ୍କ ମଧ୍ୟରେ ପ୍ରବଳ କ୍ରେଜ୍‌ ଦେଖିବାକୁ ମିଳିଥିଲା। ତେବେ ଏହି ଅସମ୍ଭବ ଭିଡ଼ ଏବଂ ଆତସବାଜି ମଧ୍ୟରେ ଲୋକଙ୍କ ପକେଟ୍‌ ମାର୍‌ ହୋଇଯାଇଥିଲା। ମୋଟ ୩୪ ଜଣ ଲୋକଙ୍କ ପକେଟ୍‌ରୁ ମୋବାଇଲ୍‌ ଫୋନ ଚୋରି ହୋଇଥିବା ପୋଲିସରେ ଅଭିଯୋଗ ହୋଇଛି। ଶାହରୁଖଙ୍କର ଅନେକ ପ୍ରଶଂସକ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ମୋବାଇଲ୍ ଚୋରି ନେଇ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ଜଣାପଡ଼ିଛି ଯେ ଅଧିକାଂଶ ଲୋକଙ୍କ ପାଖରେ ଆଇଫୋନ୍‌ ଥିଲା।

ବୁଧବାର ରାତି ୧୨ଟା ପରେ ଶାହରୁଖ ଖାନ କଳା ଟି-ସାର୍ଟ, କ୍ୟାପ, କାର୍ଗୋ ଜିନ୍ସ ଏବଂ କଳା ଚଷମାରେ ମନ୍ନତର ରେଲିଂକୁ ଆସିଥିଲେ। ସେ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଥିଲେ। ଶାହରୁଖଙ୍କୁ ଦେଖି ପ୍ରଶଂସକମାନେ ଜନ୍ମଦିନ ଗୀତ ଗାଇବା ସହ ଜୋରରେ ପାଟି କରିବାକୁ ଲାଗିଥିଲେ। ଏହି ସମୟରେ କିଛି ଲୋକ ଯେତେବେଳେ ଫଟୋ କ୍ଲିକ୍ ପାଇଁ ନିଜ ଫୋନ୍ ବାହାର କରିବାକୁ ଯାଇଥିଲେ, ସେତେବେଳେ ପକେଟ୍‌ରେ ଫୋନ୍‌ ନ ଥିବା ଦେଖିବାକୁ ପାଇଥିଲେ।

ସେପଟେ ଶାହରୁଖ ଆସିବା ପୂର୍ବରୁ ତାଙ୍କର ଝଲକ୍‌ ପାଇବା ପାଇଁ ପ୍ରଶଂସକମାନେ ବ୍ୟାରିକେଡ ଲାଇନ ପାର ହୋଇ ଯାଇଥିଲେ। ଲୋକଙ୍କୁ ପଛକୁ ହଟାଇବା ପାଇଁ ମନ୍ନତ ବାହାରେ ମୁତୟନ ପୋଲିସ ଲାଠି ଚଳାଇଥିଲା ଏବଂ ଭିଡ଼କୁ ନିୟନ୍ତ୍ରଣ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.