୮୨ ପ୍ରତିଶତ କର୍ମଚାରୀ ଯିବାକୁ ଚାହୁଁ ନାହାନ୍ତି ଅଫିସ୍; ପସନ୍ଦ ଆସୁଛି ‘ଓ୍ଵାର୍କ ଫ୍ରମ୍ ହୋମ୍’ କଲ୍ଚର; ଜାଣନ୍ତୁ କ’ଣ କହୁଛି ରିପୋର୍ଟ
ବିଶ୍ୱ କୋଭିଡ ମହାମାରୀ ଯୋଗୁ କର୍ମମୟ ଜୀବନରେ ଅନେକ ପରିବର୍ତ୍ତନ ଘଟିଛି। ଏହାରି ଭିତରେ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଲୋକମାନେ ଅଫିସ ଯିବା ପରିବର୍ତ୍ତେ ଘରେ ରହି କାମ କରିବାକୁ ବେଶି ପସନ୍ଦ କରୁଛନ୍ତି। ରୋଜଗାର ସମ୍ବନ୍ଧୀୟ ୱେବସାଇଟ୍ ସାଇକିର ‘ଟେକ୍ ଟ୍ୟାଲେଣ୍ଟ୍ ଆଉଟ୍ଲୁକ’ ରିପୋର୍ଟ ମୁତାବକ, ମହାମାରୀ କାରଣରୁ ପ୍ରଥମରୁ ହିଁ କର୍ମଚାରୀମାନେ ଘରେ ରହି କାମ କରିବାର ବ୍ୟବସ୍ଥା ଲାଗୁ ହୋଇଥିଲା, କିନ୍ତୁ ବର୍ତ୍ତମାନ ଦୁଇ ବର୍ଷ ପରେ ‘ଓ୍ଵାର୍କ ଫ୍ରମ୍ ହୋମ୍’ ନୂଆ ଟ୍ରେଣ୍ଡରେ ପରିଣତ ହୋଇଛି। ଏବେ ଏହି ନୂଆ ଅଭ୍ୟାସ ଲୋକଙ୍କ ଜୀବନରେ ନିଜର ଜାଗା ସୃଷ୍ଟି କରି ନେଇଛି।
୮୨ ପ୍ରତିଶତ ଲୋକ ଆସିବାକୁ ଚାହୁଁ ନାହାନ୍ତି ଅଫିସ୍
ଅଧ୍ୟୟନରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ ୮୨ ପ୍ରତିଶତ ଅଫିସ୍ ଯିବାକୁ ଚାହୁଁ ନାହାନ୍ତି। ଘରୁ ହିଁ କାମ କରିବାକୁ ଚାହୁଁଛନ୍ତି। ଟ୍ୟାଲେଣ୍ଟ ଟେକ୍ ଆଉଟ୍ଲୁକ ୨୦୨୨ରେ ଚାରି ମହାଦ୍ୱୀପର ୧୦୦ରୁ ଅଧିକ କାର୍ଯ୍ୟକାରୀ ଅଧିକାରୀ ଏବଂ HR ପରିଚାଳକଙ୍କଠାରୁ ପ୍ରାପ୍ତ ପ୍ରତିକ୍ରିୟାଗୁଡ଼ିକୁ ବିଶ୍ଳେଷଣ କରାଯାଇଥିଲା। ଏହି ସର୍ଭେ ସୋସିଆଲ ମିଡିଆ, ସାକ୍ଷାତକାର ଏବଂ ପ୍ୟାନେଲ ଚର୍ଚ୍ଚା ଜରିଆରେ ହୋଇଥିଲା।
ଘରୁ କାମ କରିବା ଦ୍ୱାରା ଚାପ କମ୍ ପଡ଼ିଥାଏ
ଅଧ୍ୟୟନରେ ସାମିଲ ୬୪ ପ୍ରତିଶତ କର୍ମଚାରୀ କହିଛନ୍ତି କି, ଘରୁ କାମ କରିବା ଦ୍ୱାରା ସେମାନଙ୍କର ଉତ୍ପାଦନ କ୍ଷମତା ଅଧିକ ରହୁଛି ଏବଂ ଚିନ୍ତା, ଚାପ କମ୍ ପଡ଼ୁଛି। ଏହି ସମୟରେ ୮୦ ପ୍ରତିଶତରୁ ଅଧିକ HR ପରିଚାଳକ କହିଥିଲେ ଯେ ପୂର୍ଣ୍ଣକାଳୀନ ରୂପେ ଅଫିସ ଯାଇ କର୍ମଚାରୀ ଖୋଜିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ୬୭ ପ୍ରତିଶତରୁ ଅଧିକ କମ୍ପାନୀ ସମାନ କଥା କହିଥିଲେ କି, ଅଫିସ ଆସି କାମ କରିବା ଲୋକଙ୍କୁ ଖୋଜିବା ସେମାନଙ୍କ ପାଇଁ ମୁସ୍କିଲ ହେଉଛି।
ଘରୁ କାମ କରିବା ଟ୍ରେଣ୍ଡରେ ପରିଣତ ହୋଇଛି
ପରିବର୍ତ୍ତିତ ପରିବେଶରେ ଘରୁ କାମ କରିବା ଏବେ ବିକଳ୍ପ ନ ରହି ଏକ ନୂଆ ଟ୍ରେଣ୍ଡ ପାଲଟି ଯାଇଛି। ଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ଲୋକମାନେ ସେମାନଙ୍କ ନିଯୁକ୍ତିଦାତାଙ୍କଠାରୁ ମଧ୍ୟ ଏହା ଆଶା ରଖୁଛନ୍ତି। କିନ୍ତୁ ନିଯୁକ୍ତିଦାତା ଏହି ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସେମାନଙ୍କୁ ଭଲ ପ୍ରତିଭାମାନଙ୍କୁ ଯୋଡ଼ିବା ଏବଂ ପୂର୍ବରୁ କାର୍ଯ୍ୟ କରୁଥିବା ଲୋକଙ୍କୁ ନିଜ ସହିତ ବଜାୟ ରଖିବାରେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ ବୋଲି କହିଛନ୍ତି।