କରୋନା ପରେ ଧ୍ୱଂସ ଲୀଳା ରଚିବାକୁ ଯାଉଛି କି ଜାପାନର ଏହି ଭାଇରସ୍‌! ପୁଣେରେ ୪ ବର୍ଷର ଶିଶୁ ସଂକ୍ରମିତ, ଜାଣନ୍ତୁ ଲକ୍ଷଣ

ସାରା ବିଶ୍ୱରେ ବର୍ତ୍ତମାନ କରୋନା ଭାଇରସ୍‌ର ସଂକ୍ରମଣ ସମ୍ପୂର୍ଣ୍ଣ ଭାବରେ ଯାଇ ନ ଥିବାବେଳେ ଏହାରି ଭିତରେ ଜାପାନର ଇନ୍‌ସେଫାଲାଇଟିସ୍‌ ଭାଇରସ୍‌ ଚିନ୍ତାର ବିଷୟ ହୋଇଛି। ମିଡିଆ ରିପୋର୍ଟ ମୁତାବକ, ପୁଣେରେ ଇନ୍‌ସେଫାଲାଇଟିସ୍‌ ଭାଇରସ୍‌ର ମାମଲା ଏବେ ସାମ୍ନାକୁ ଆସିଛି ଏବଂ ଏଥିରେ ୪ ବର୍ଷର ଏକ ଶିଶୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଇନ୍‌ସେଫାଲାଇଟିସ୍‌ ହେଉଛି ଏକ ଫ୍ଲାଭିଭାଇରସ୍‌, ଯାହାକି ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହି କାରଣରୁ ଇନ୍‌ସେଫାଲାଇଟିସ୍‌ ଭାଇରସ୍‌ର ସଂକ୍ରମଣ ଆଶଙ୍କା ସବୁ ବୟସର ଲୋକଙ୍କୁ ରହିଛି। ଏହା ଡେଙ୍ଗୁ, ୟେଲୋ ଫିଭର ଏବଂ େଓ୍ଵଷ୍ଟ ନାଇଲ ଭାଇରସ୍‌ର ସମାନ ବଂଶ ହୋଇଥାଏ।

ଇନ୍‌ସେଫାଲାଇଟିସ୍‌ ଭାଇରସ୍‌ର ପ୍ରଥମ ମାମଲା ୧୮୭୧ ମସିହାରେ ଜାପାନରେ ସାମ୍ନାକୁ ଆସିଥିଲା। ତେଣୁ ଏହାକୁ ଜାପାନୀ ଇନ୍‌ସେଫାଲାଇଟିସ୍‌ ଭାଇରସ୍‌ ମଧ୍ୟ କୁହାଯାଉଛି। ଇନ୍‌ସେଫାଲାଇଟିସ୍‌ ଭାଇରସ୍‌ର ସଂକ୍ରମଣ ହାର ବହୁତ କମ୍‌, କିନ୍ତୁ ସଂକ୍ରମିତ ହେଲେ ମୃତ୍ୟୁ ହାର ପାଖାପାଖି ୩୦ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ।

କେନ୍ଦ୍ରୀୟ ରୋଗ ନିୟନ୍ତ୍ରଣ (CDC) ବିଭାଗ ଅନୁସାରେ, ଅନେକ ବାର ଜାପାନୀ ଇନ୍‌ସେଫାଲାଇଟିସ୍‌ ଭାଇରସ୍‌ର ଲକ୍ଷଣ ଦେଖାଯାଏ ନାହିଁ ଏବଂ ଅଧିକାଂଶ ମାମଲାରେ ପ୍ରଥମରୁ କୌଣସି ବି ଲକ୍ଷଣ ନଜର ଆସି ନ ଥାଏ। ଭାଇରସ୍‌ର ସାଧାରଣ ଲକ୍ଷଣ ହେଲା, ଏଥିରେ ସଂକ୍ରମିତ ଲୋକଙ୍କୁ ଜ୍ୱର, ମୁଣ୍ଡବିନ୍ଧା, ବାନ୍ତି, ମାନସିକ ସ୍ଥିତିରେ ପରିବର୍ତ୍ତନ, ନ୍ୟୁରୋଲୋଜିକାଲ ଲକ୍ଷଣ, ଦୁର୍ବଳ ଲାଗିବା, ମୁଭ୍‌ମେଣ୍ଟ ଡିସ୍‌ଅର୍ଡର ଆଦି ଦେଖାଦେଇଥାଏ। ଏଥି ସହିତ ପିଲାମାନଙ୍କଠାରେ ଏହାର ସାମାନ୍ୟ ଲକ୍ଷଣ ନଜର ଆସିଥାଏ।

ଜାପାନୀ ଇନ୍‌ସେଫାଲାଇଟିସ୍‌ ଭାଇରସ୍‌ରେ ସଂକ୍ରମିତ ଲୋକଙ୍କଠାରେ ନ୍ୟୁରୋଲୋଜି ରୋଗ ବିକଶିତ ହୋଇଥାଏ। କିନ୍ତୁ ଏହାର ହାର ୧ ପ୍ରତିଶତରୁ ବି କମ୍‌ ଥାଏ। ଏହି ଭାଇରସ୍‌ରେ ସଂକ୍ରମିତ ୨୦ରୁ ୩୦ ପ୍ରତିଶତ ଲୋକଙ୍କର ମୃତ୍ୟୁ ସମ୍ଭାବନା ରହିଛି। ଏହାଛଡ଼ା ଗମ୍ଭୀର ସଂକ୍ରମଣରୁ ସୁସ୍ଥ ହେଉଥିବା ୩୦ରୁ ୫୦ ପ୍ରତିଶତ ଲୋକଙ୍କଠାରେ ଅନ୍ତଃନଳୀ ଏବଂ ମନରୋଗ ସମ୍ବନ୍ଧୀୟ ଲକ୍ଷଣ ଦେଖାଯିବାର ସମ୍ଭାବନା ଅଛି।

ଇନ୍‌ସେଫାଲାଇଟିସ୍‌ ଭାଇରସ୍‌ରେ ସଂକ୍ରମିତ ରୋଗୀଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ସଂକ୍ରମଣ ପରେ ବିକଶିତ ହେଉଥିବା ଲକ୍ଷଣ ଆଧାରରେ ଡାକ୍ତର ଚିକିତ୍ସା କରିଥାଆନ୍ତି ଏବଂ ରୋଗୀଙ୍କୁ ନଜରବନ୍ଦୀରେ ରଖନ୍ତି। ସଂକ୍ରମିତ ବ୍ୟକ୍ତିଙ୍କୁ ଡାକ୍ତର ଆରାମ ବ୍ୟତୀତ ଅଧିକରୁ ଅଧିକ ତରଳ ପଦାର୍ଥ ସେବନ କରିବାକୁ ପରାମର୍ଶ ଦିଅନ୍ତି।