ପଡ଼ୋଶୀଙ୍କୁ ମାରି ମୃତ ଶରୀରରୁ ବାହାର କରିଦେଲା ହାର୍ଟ, ପୁଣି ଆଳୁ ସହିତ ଭାଜି ନିଜ ପରିବାର ଲୋକଙ୍କୁ ଖୁଆଇଲା
ଦୁନିଆରେ ଏମିତି ଅନେକ ଅପରାଧ ଘଟଣା ଘଟିଥାଏ, ଯାହା ବିଷୟରେ ଶୁଣିଲେ ଆମ ଲୋମ ଟାଙ୍କୁରି ଉଠେ। ଏବେ ଆମେରିକାରୁ ଠିକ୍ ଏମିତି ହିଁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ୩ ଜଣଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତେବେ ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅଭିଯୁକ୍ତଙ୍କ ନାଁ, ଲରେନ୍ସ ଆଣ୍ଡରସନ। ଘଟଣାଟି ଘଟିଛି ଆମେରିକାର ଓକେଲାହୋମା ସହରରେ।
ସବୁଠୁ ଭୟାନକ କଥା ହେଉଛି, ଲରେନ୍ସ ପ୍ରଥମେ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ। ଏହାପରେ ମୃତ ଶରୀରରୁ ତାଙ୍କ ହାର୍ଟକୁ ବାହାର କରି ଦେଇଥିଲେ। ଏତିକି ନୁହେଁ, ଆଳୁ ସହିତ ଭାଜି ନିଜ ପରିବାର ଲୋକଙ୍କୁ ବି ଖୁଆଇଥିଲେ। ନ୍ୟୁୟର୍କର ଏକ ଗଣମାଧ୍ୟମ ଖବର ଅନୁସାରେ, ବ୍ୟକ୍ତି ଜଣକ ଏଭଳି କାଣ୍ଡ ଏଥିପାଇଁ ରଚିଥିଲେ, କାରଣ, ସେ ତାଙ୍କ ପରିବାରକୁ ରାକ୍ଷସ କବଳରୁ ବଞ୍ଚାଇବାକୁ ଚାହୁଁଥିଲେ। ଏ କଥା ଅଭିଯୁକ୍ତ ନିଜେ ହିଁ କହିଛନ୍ତି।
ଲରେନ୍ସ ୬୭ ବର୍ଷୀୟ ଲିଓନ୍ ପେ, ତାଙ୍କ ୪ ବର୍ଷର ନାତୁଣୀ କାଓସ୍ ଓ କାଓସ୍ଙ୍କ ଆଣ୍ଟିଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ଜେଜେ ଓ ନାତୁଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଣ୍ଟି ବର୍ତ୍ତି ଯାଇଛନ୍ତି। କୁହାଯାଉଛି କି, ଏହି ପରିବାର ଲରେନ୍ସଙ୍କ ପଡ଼ିଶା ଲୋକ ଥିଲେ।