ବଦଳିବ ଚାଷର ତରିକା…ଘରେ ବସି ଚାଷୀ ସମ୍ଭାଳିବେ ନିଜ କ୍ଷେତ; ଏଣିକି ୪୭୭ ପ୍ରକାର କୀଟନାଶକ ସିଞ୍ଚନ କରିବ ଡ୍ରୋନ

କୃଷି କ୍ଷେତ୍ରରେ ଡ୍ରୋନ ବ୍ୟବହାରକୁ ଆହୁରି ସହଜ କରିବା ପାଇଁ ଡ୍ରୋନ ଫେଡେରେସନ ଅଫ୍‌ ଇଣ୍ଡିଆ (DFI) ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। DFI ଅନୁସାରେ, ଚାଷ କାର୍ଯ୍ୟରେ କୃଷି-ଡ୍ରୋନର ଉପଯୋଗକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ ୪୭୭ କୀଟନାଶକକୁ ଅନ୍ତରୀଣ ମଞ୍ଜୁରୀ ପ୍ରଦାନ କରିଛି। ଏହି ୪୭୭ ପଞ୍ଜୀକୃତ କୀଟନାଶକକୁ ବର୍ତ୍ତମାନ ୨ ବର୍ଷ ପାଇଁ ଡ୍ରୋନ ଜରିଆରେ ବ୍ୟବସାୟିକ ଉପଯୋଗ ନିମନ୍ତେ ବ୍ୟବହାର କରାଯାଇ ପାରିବ।

ଚାଷକାର୍ଯ୍ୟର ଆଧୁନିକୀକରଣ ପ୍ରୟାସରେ ଏକ ନୂଆ ଟେକ୍ନିକ୍‌ ସାମିଲ ହୋଇଛି, ଯଦ୍ଦ୍ଵାରା ଚାଷୀମାନଙ୍କର ଅନେକ ସମସ୍ୟା ଦୂର ହୋଇ ପାରିବ। ଅର୍ଥାତ୍‌ ଚାଷୀମାନଙ୍କ ପାଇଁ ଏବେ ଚାଷ କାର୍ଯ୍ୟ କରିବା ଆହୁରି ସହଜ ହୋଇଯିବ। ଘରେ ବସି ହିଁ ଚାଷୀ ନିଜ କ୍ଷେତର ଦେଖାଶୁଣା କରିବା ସହିତ ଡ୍ରୋନ ଦ୍ୱାରା ନିଜ ଫସଲ ଉପରେ କୀଟନାଶକ ସିଞ୍ଚନ କରି ପାରିବେ। ଡ୍ରୋନ ମାଧ୍ୟମରେ ଅପରେଟରମାନଙ୍କୁ କୀଟନାଶକ ଏବଂ ପୋଷକ ତତ୍ତ୍ୱ ସିଞ୍ଚନ କରିବା ପାଇଁ କୃଷି ମନ୍ତ୍ରାଳୟର ମାନକ ସଞ୍ଚାଳନ ପ୍ରକ୍ରିୟା (SoP) ପାଳନ କରିବାକୁ ପଡ଼ିବ।

କ’ଣ ରହିଛି ନିୟମ

କୀଟନାଶକ ସିଞ୍ଚନ କରିବା ସମ୍ବନ୍ଧରେ ଆବଶ୍ୟକ ନିୟମ ରହିଛି। ଯଦି ଆପଣ ଡ୍ରୋନ୍‌ ଦ୍ୱାରା ନିଜ କ୍ଷେତରେ କୀଟନାଶକ ସିଞ୍ଚନ କରିବାକୁ ଚାହୁଁଛନ୍ତି, ତ ୨୪ ଘଣ୍ଟା ପୂର୍ବରୁ ସମ୍ପୃକ୍ତ ଅଧିକାରୀଙ୍କୁ ଏ ନେଇ ସୂଚନା ଦେବାକୁ ହେବ। ସ୍ଥାନ ଚିହ୍ନଟ କରିବାର ଦାୟିତ୍ୱ ଅପରେଟରମାନଙ୍କର ହେବ। ଅପରେଟର କେବଳ ଅନୁମୋଦିତ କୀଟନାଶକ ଏବଂ ତାହାର ଫର୍ମୂଲେସନର ଉପଯୋଗ କରିବେ। ଧାର୍ଯ୍ୟ ଉଚ୍ଚତାଠାରୁ ଉପରେ ଡ୍ରୋନ୍‌କୁ ଉଡ଼ାଯାଇ ପାରିବ ନାହିଁ। ଅପରେଟରମାନଙ୍କୁ ସଫାସୁତରା ଏବଂ ପ୍ରାଥମିକ ଚିକିତ୍ସା ସୁବିଧା ପ୍ରଦାନ କରାଯିବ।

ସେପଟେ ସମସ୍ତ ଉଡ଼ାଣର ଅତି କମ୍‌ରେ ୨୪ ଘଣ୍ଟା ପୂର୍ବରୁ ଆଖାପାଖି ଲୋକଙ୍କୁ ସୂଚିତ କରିବାକୁ ପଡ଼ିବ। ଜୀବଜନ୍ତୁ ଏବଂ ସଞ୍ଚାଳନ ସହ ଜଡ଼ିତ ନ ଥିବା ବ୍ୟକ୍ତିଙ୍କୁ କୀଟନାଶକ ସିଞ୍ଚନ ଅଞ୍ଚଳରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଏଥି ସହିତ ଅପରେଟରମାନଙ୍କୁ ଏ ନେଇ ପ୍ରଶିକ୍ଷିତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.