ପ୍ରୟାଗରାଜରେ ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଘର ପୋଡିଦେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ : ପ୍ରୟାଗରାଜରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ । ତରଭାଇ ପୋଲିସ ଷ୍ଟେସନ ଅଞ୍ଚଳର ଖେଭରାଜପୁର ଗ୍ରାମରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଛି। କେବଳ ଏତିକି ନୁହେଁ, ଘଟଣା ପରେ ଅଭିଯୁକ୍ତମାନେ ଘରେ ନିଆଁ ଲଗାଇ ଦେଇଥିଲେ। ଏପରି ଘଟଣାକୁ ନେଇ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।୫ଜଣଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ସୂଚନା ମୁତାବକ, ପ୍ରଦୀପ କୁମାର ଯାଦବ ନାମକ ବ୍ୟକ୍ତି ନିଜ ଭାଇ , ଭାଉଜଙ୍କ ମୃତ୍ୟୁ ଖବର ପୋଲିସକୁ ଦେବା ପରେ ପୋଲିସ ଫରେନ୍ସିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ ସହ ଆସି ପହଞ୍ଚିଥିଲା । ପ୍ରଦୀପ ପୋଲିସକୁ କହିଛନ୍ତି ଯେ ତାଙ୍କ ଭାଇ ଓ ଭାଉଜଙ୍କୁ କେହି ହତ୍ୟା କରିଛନ୍ତି। ଏହା ସହିତ ପରିବାରର ଅନ୍ୟ ତିନି ଜଣଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଏହାପରେ ଘରେ ଲାଗିଥିବା ନିଆଁକୁ ଲିଭାଯିବା ପରେ ମୃତଦେହକୁ ଉଦ୍ଧାର କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ଏଥିସହିତ ଏଡିଜି ପ୍ରୟାଗ ଜୋନ୍ ପ୍ରେମ ପ୍ରକାଶ କହିଛନ୍ତି ଯେ ପ୍ରାରମ୍ଭିକ ଅନୁସନ୍ଧାନରୁ ଡକାୟତି ଉଦ୍ଦେଶ୍ୟରେ ଆସିଥିବା ଦୁଷ୍କର୍ମକାରୀମାନେ ଏହି ଘଟଣା ଘଟାଇଥିବା ଜଣାପଡିଛି। ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ ଘରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ତେବେ ଏହାର ତୀକ୍ଷ୍ଣ ଅନୁସନ୍ଧାନ କରାଯାଉଛି। ଫୋରେନସିକ୍ ଏବଂ ସ୍କ୍ୱାଡ ଟିମ୍ ଘଟଣାସ୍ଥଳରେ ଅନୁସନ୍ଧାନ କରୁଛନ୍ତି। ପରିବାରର ମୁଖ୍ୟ ରାଜକୁମାର ଯାଦବ (ବୟସ ୫୫ବର୍ଷ), ତାଙ୍କ ପତ୍ନୀ କୁସୁମ (ବୟସ ୫୦ ବର୍ଷ), ଝିଅ ମନୀଷା (ବୟସ ୨୫ ବର୍ଷ), ବୋହୂ ସବିତା (ବୟସ ୩୦ ବର୍ଷ) ଏବଂ ଦୁଇ ବର୍ଷର ନିରୀହ ନାତୁଣୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।

କହିରଖୁଛୁ କି ,୭ ଦିନ ପୂର୍ବରୁ ପ୍ରୟାଗରାଜରେ ମଧ୍ୟ ସମାନ ଘଟଣା ଘଟିଥିଲା ​​। ଖାଗଲପୁର ଗାଁରେ ମଧ୍ୟ ଗୋଟିଏ ପରିବାରର ୫ ଜଣଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଏବଂ ସେମାନଙ୍କର ତିନି ସନ୍ତାନ ଥିଲେ। ପୋଲିସର ସୂଚନାନୁସାରେ, ଖଟ ଉପରେ ପତ୍ନୀ ଏବଂ ତିନି ପିଲାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ସେହିପରି ବାଥରୁମରେ ସ୍ୱାମୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା। ସେମାନଙ୍କୁ ମଧ୍ୟ ହତ୍ୟା କରାଯିବା ପରେ ତାଙ୍କ ଘରେ ନିଆଁ ଲଗାଇଦିଆଯାଇଥିଲା । ବାରମ୍ବାର ଏପରି ଘଟଣା ଘଟୁଥିବାରୁ ପୋଲିସ ଆଖିରୁ ନିଦ ହଜିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.