କଣ୍ଟେନରରୁ ମିଳିଲା ୪୬ ଜଣଙ୍କ ମୃତ ଦେହ, ଗରମରେ ସିଝିଯାଇଛି ସମସ୍ତଙ୍କ ଦେହ

ଆମେରିକା: ଆମେରିକାର ଟେକ୍ସାସ୍‌ରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଟେକ୍ସାସ୍‌ ରାଜ୍ୟର ସେନ୍‌ ଏଣ୍ଟୋନିୟୋ ସହରରେ କଣ୍ଟେନର ବା ବନ୍ଦ ଟ୍ରକ୍‌ ଭିତରୁ ୪୬ଟି ମୃତ ଦେହ ଜବତ ହୋଇଛି। ଏତେ ସଂଖ୍ୟାରେ ଶବ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ଟିମ୍‌ ପହଞ୍ଚିଛନ୍ତି। ଏଥିସହ ରାସ୍ତାକୁ ସିଲ୍‌ କରି ଦିଆଯାଇଛି।

ସୂଚନା ମୁତାବକ, ଟ୍ରକ ଭିତରୁ ୪୬ ଜଣଙ୍କ ମୃତ ଦେହ ମିଳିଛି। ଏଥିସହ ୧୬ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି। ସମସ୍ତ ଗୁରୁତରଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି କଣ୍ଟେନର ଟେକ୍ସାସର ଦକ୍ଷିଣ-ପଶ୍ଚିମରେ ସ୍ଥିତ ସେନ୍‌ ଏଣ୍ଟୋନିୟୋର ଶୁନଶାନ୍‌ ସ୍ଥାନରେ ମିଳିଛି। ଏମାନେ ଆମେରିକାରେ ବେଆଇନ୍‌ ଭାବେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣାଯାଇଛି। କୁହାଯାଉଛି ଯେ ଏମାନେ ମେକ୍ସିକୋରୁ ଲୁଚି ଲୁଚି ଆମେରିକାରେ ପଶୁଥିଲେ। ଏଭଳି ଭାବେ ଅନୁପ୍ରବେଶ ଉଦ୍ୟମ କରି ପୂର୍ବରୁ ବି ହଜାର ହଜାର ଲୋକ ଜୀବନ ହାରିଛନ୍ତି। କିନ୍ତୁ ଏମିତି ମାମଲା ପୂର୍ବରୁ କେବେ ବି ସାମ୍ନାକୁ ଆସିନଥିଲା।

ଏହି ଟ୍ରକ୍‌ ବିଷୟରେ ପୋଲିସକୁ ଜଣେ ଅଜଣା ବ୍ୟକ୍ତି ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଟ୍ରକର ଗେଟ୍‌ ଅଳ୍ପ ଖୋଲାଥିଲା। ସେଥିରୁ ଗୋଟିଏ ଶବ ଟ୍ରକ୍‌ ବାହାରେ ପଡ଼ିଥିଲା। ଯେଉଁ ୧୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ ୧୨ ଜଣ ବୟସ୍କ ଓ ୪ ଜଣ ଛୋଟ ପିଲା ଅଛନ୍ତି। ସମସ୍ତଙ୍କ ଶରୀର ଗରମରେ ତାତି ଯାଇଥିଲା ଓ ଶରୀରରେ ଜଳୀୟାଂଶର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଥିଲା। ବର୍ତ୍ତମାନ ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖାଯାଇଛି। ତେବେ ତଦନ୍ତ ପରେ ଏତେ ଶବ କୁଆଡ଼ୁ ଆସିଲା ଜଣାପଡ଼ିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଏବେ ଯାଏଁ ଏହି ଶବଙ୍କ ପରିଚୟ ମିଳିପାରି ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ ଏଭଳି ଏକ ଟ୍ରକ୍‌ରେ ୧୦ ଲୋକଙ୍କ ମୃତ ଦେହ ମିଳିଥିଲା। ତା’ ପୂର୍ବରୁ ସେନ୍‌ ଏଣ୍ଟୋନିୟୋରେ ହିଁ ୨୦୦୩ ମସିହାରେ ୧୯ ଜଣଙ୍କ ମୃତ ଦେହ ଏକ ଟ୍ରକରୁ ଜବତ ହୋଇଥିଲା।

Also Read: ରାହୁଲ ଗାନ୍ଧୀଙ୍କୁ ‘ଇଡିୟଟ୍‌’ ବୋଲି କହିଲେ ବିବେକ ଅଗ୍ନିହୋତ୍ରୀ, ମହମ୍ମଦ ଜୁବୈରଙ୍କ ସମର୍ଥନରେ କହିଥିଲେ କଂଗ୍ରେସ ନେତା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.