ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା, ଅନ୍ତର୍ଜାତୀୟ ବଜାରରେ ତେଲ ବ୍ୟାରେଲ ପିଛା ଟପିଲା ୯୦ ଡଲାର

ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା ମଧ୍ୟରେ ହୁହୁ ହୋଇ ବଢୁଛି ତେଲ ଦର । ଅନ୍ତର୍ଜାତୀୟ ବଜାରରେ ତେଲ ବ୍ୟାରେଲ ପିଛା ୯୦ ଡଲାର ଟପିଛି। ସେପ୍ଟେମ୍ବର ସୁଦ୍ଧା ଦର ୧୦୦ ଡଲାର ଛୁଇଁବା ଆଶଙ୍କା ରହିଛି । ମଧ୍ୟପ୍ରାଚ୍ୟରୁ ହିଁ ବିଭିନ୍ନ ଦେଶକୁ ଅଧିକାଂଶ ଅଶୋଧିତ ତେଲ ରପ୍ତାନୀ ହୋଇଥାଏ।

ନୂଆଦିଲ୍ଲୀ : ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା ମଧ୍ୟରେ ହୁହୁ ହୋଇ ବଢୁଛି ତେଲ ଦର ।  ଅନ୍ତର୍ଜାତୀୟ ବଜାରରେ ତେଲ ବ୍ୟାରେଲ ପିଛା ୯୦ ଡଲାର ଟପିଛି ।  ସେପ୍ଟେମ୍ବର ସୁଦ୍ଧା ଦର ୧୦୦ ଡଲାର ଛୁଇଁବା ଆଶଙ୍କା ରହିଛି ।  ମଧ୍ୟପ୍ରାଚ୍ୟରୁ ହିଁ ବିଭିନ୍ନ ଦେଶକୁ ଅଧିକାଂଶ ଅଶୋଧିତ ତେଲ ରପ୍ତାନୀ ହୋଇଥାଏ । ଗୋଟିଏ ପଟେ ଇସ୍ରାଏଲ-ହମାସ ଯୁଦ୍ଧ ଲାଗିରହିଛି । ଏବେ ଇରାନ ଓ ଇସ୍ରାଏଲ ମଧ୍ୟରେ ପରିସ୍ଥିତି ଉତ୍ତେଜନାମୂଳକ ରହିଛି । ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ଆଶଙ୍କା ଥିବାରୁ ଏହାର ପ୍ରଭାବ ତେଲ ଦର ଉପରେ ପଡୁଛି ।

ଖବର ଅନୁସାରେ କୌଣସି ମୁହୂର୍ତ୍ତରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ଇରାନ। ସମ୍ଭାବ୍ଯ ଆକ୍ରମଣର ମୁକାବିଲା ଲାଗି ଦେଶର ତୁଙ୍ଗ ଅଧିକାରୀଙ୍କ ସହ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଦୁଇ ସପ୍ତାହ ତଳେ ସିରିଆର ଡାମାସ୍କସରେ ହୋଇଥିବା ଆକ୍ରମଣରେ ଇରାନର ଦୁଇ ଜଣ ତୁଙ୍ଗ କମାଣ୍ଡରଙ୍କ ମୃତ୍ଯୁ ପରେ ଉତକ୍ଷିପ୍ତ ହୋଇଥିଲା ଇରାନ। ଏହାରି ଭିତରେ ଇସ୍ରାଏଲ-ଲେବାନନ ସୀମାରେ ୪୦ରୁ ଅଧିକ ରକେଟ ଓ ମିସାଇଲ ମାଡ଼ ହୋଇଛି। ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ଅଧିକାଂଶ ରକେଟକୁ ମଝି ଆକାଶରୁ ଧୂଳିସାତ କରିବାରେ ସଫଳ ହୋଇଛି ଆଇଡିଏଫ। ଇସ୍ରାଏଲ ଉପରେ ଇରାନର ସମ୍ଭାବ୍ଯ ଆକ୍ରମଣ ଲାଗି ଆମେରିକା ଆଲର୍ଟ ଜାରି କରିଛି।

ସେହିପରି ଇରାନ ଓ ଇସ୍ରାଏଲ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଛି ବିଦେଶ ମନ୍ତ୍ରଣାଳୟ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଭାରତୀୟଙ୍କୁ ଇରାନ ଏବଂ ଇସ୍ରାଏଲ ଯିବାକୁ ବାରଣ କରାଯାଇଛି । ସେହିପରି ଯେଉଁ ଭାରତୀୟମାନେ ଏବେ ଏହି ଦୁଇ ଦେଶରେ ଅଛନ୍ତି ସେମାନେ ନିଜ ସୁରକ୍ଷା ପ୍ରତି ସତର୍କ ରହିବା ସହ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.