ଓମିକ୍ରନର ଭୟାବହତା ଭିତରେ ଆଉ ଏକ ରହସ୍ୟମୟ ରୋଗ! ଏ ପର୍ଯ୍ୟନ୍ତ ୮୯ ଲୋକଙ୍କର ଜୀବନ ନେଲାଣି; ନମୁନା ସଂଗ୍ରହ ପାଇଁ ବୈଜ୍ଞାନିକ ପଠାଇଲା WHO

କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ବିପଦ ଭିତରେ ଆଫ୍ରିକାରେ ଏକ ରହସ୍ୟମୟ ରୋଗ ବ୍ୟାପିବା କଥା ସାମ୍ନାକୁ ଆସିଛି। ଏହି ରୋଗ ଯୋଗୁ ଦକ୍ଷିଣ ସୁଡାନର ଜୋଙ୍ଗଲେଇ ରାଜ୍ୟର ଉତ୍ତର ସହର ଫାଙ୍ଗକରେ ଏ ପର୍ଯ୍ୟନ୍ତ ଅନେକ ଲୋକଙ୍କର ମୃତ୍ୟୁ ଘଟି ସାରିଲାଣି। ଏହି ଖବର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଚିନ୍ତା ବଢ଼ାଇ ଦେଇଛି। ଏବେ WHO ପୀଡିତ ଲୋକଙ୍କ ନମୁନା ସଂଗ୍ରହ କରିବା ପାଇଁ ବୈଜ୍ଞାନିକମାନଙ୍କର ଏକ ର‍୍ୟାପିଡ୍‌ ରେସ୍‌ପନ୍ସ ଟିମ୍‌କୁ ସେଠାକୁ ପଠାଇଛି।

ବନ୍ୟା ପୂର୍ବରୁ ହିଁ ଖରାପ ରହିଛି ଅବସ୍ଥା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଜଣେ ଅଧିକାରୀ କହିଛନ୍ତି ଯେ ବିପଦର ପତ୍ତା ଲଗାଇବାକୁ ଏବଂ ଅନୁସନ୍ଧାନ କରିବା ପାଇଁ ଏକ ର‍୍ୟାପିଡ୍‌ ରେସ୍‌ପନ୍ସ ଟିମ୍‌ ପଠାଯାଇଛି। ଏହି ଦଳ ଲୋକଙ୍କଠାରୁ ନମୁନା ସଂଗ୍ରହ କରିବ। ବର୍ତ୍ତମାନ ଆମକୁ ଯେଉଁ ଆକଳନ ମିଳିଛି, ତାହା ଅନୁସାରେ ୮୯ ଜଣଙ୍କର ମୃତ୍ୟୁ ଘଟିଛି। ରୋଗ ପ୍ରଭାବିତ ଅଞ୍ଚଳ, ନିକଟରେ ଆସିଥିବା ଭୟଙ୍କର ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ। ଅଧିକାରୀ ଜଣକ କହିଛନ୍ତି କି, ବୈଜ୍ଞାନିକମାନଙ୍କ ଟିମ୍‌କୁ ଏହି କାରଣରୁ ହେଲିକପ୍ଟର ମାଧ୍ୟମରେ ପ୍ରବେଶ କରିବାକୁ ପଡ଼ିଥିଲା।

ପୁଷ୍ଟିହୀନତାର ଶିକାର ହେଉଛନ୍ତି ପିଲା

ସୁଡାନର ଭୂମି, ଗୃହ ଓ ସାର୍ବଜନିକ ଉପଯୋଗିତା ମନ୍ତ୍ରୀ ଲ୍ୟାମ ତୁଙ୍ଗୱାର କୁଇଗୱୋଙ୍ଗଙ୍କ ଅନୁସାରେ, ଜୋଙ୍ଗଲେଇର ସୀମାବର୍ତ୍ତୀ ରାଜ୍ୟରେ ଭୟଙ୍କର ବନ୍ୟା ମ୍ୟାଲେରିଆ ଭଳି ରୋଗର ପ୍ରସାରକୁ ବଢ଼ାଇ ଦେଇଛି। ଖାଦ୍ୟ ଅଭାବ କାରଣରୁ ପିଲାମାନେ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ସେ କହିଛନ୍ତି ଯେ ଏଠାରେ ତେଲରୁ ପାଣି ଦୂଷିତ ହୋଇ ଯାଇଛି, ଯେଉଁଥିପାଇଁ ଗୃହପାଳିତ ପଶୁମାନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଦକ୍ଷିଣ ସୁଡାନର ଉତ୍ତରରେ ଆସିଥିବା ବନ୍ୟା ପରିସ୍ଥିତି ଏହି ଅଞ୍ଚଳର ଲୋକଙ୍କ ପାଇଁ ବିନାଶକାରୀ ପ୍ରମାଣିତ ହୋଇଛି।

ବନ୍ୟାରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ

ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ‘UNHCR’ କହିଛି ଯେ ପ୍ରାୟ ୬୦ ବର୍ଷ ମଧ୍ୟରେ ଦେଶରେ ଆସିଥିବା ସବୁଠାରୁ ଭୟଙ୍କର ବନ୍ୟା ଯୋଗୁ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି, ଯେଉଁଥି ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଉଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନ୍ତର୍ଜାତୀୟ ସଂସ୍ଥା ‘ମେଡେକିନ୍ସ ସାନ୍ସ ଫ୍ରଣ୍ଟିୟରେସ (ଏମଏସଏଫ)’ କହିଛି ଯେ ବନ୍ୟା କାରଣରୁ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଏବେ ସ୍ୱାସ୍ଥ୍ୟ ସୁବିଧା ଉପରେ ଚାପ ପକାଉଛି। କହି ରଖୁଛୁ କି, ଏହି ସମୟରେ ସାରା ବିଶ୍ୱ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ସାମ୍ନା କରୁଛି ଏବଂ ସଂକ୍ରମଣ ମାମଲା ଲଗାତାର ଭାବରେ ବଢ଼ିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.