ନାଜାଲ ଭ୍ୟାକସିନ iNCOVACC ଦାମ୍‌ ସ୍ଥିର କଲେ ସରକାର, ମାତ୍ର ୮୦୦ ଟଙ୍କାରେ ନେଇପାରିବେ ବୁଷ୍ଟର ଡୋଜ

ଚୀନ ସମତେ ସମଗ୍ର ଦୁନିଆର ଅନେକ ଦେଶରେ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ନେଇ ଭାରତ ସରକାର ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । ଟିକାର ବୁଷ୍ଟର ଡୋଜ୍ ନେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏପରିକି ନାଜାଲ୍ ଭ୍ୟାକସିନ୍କୁ ମିଳିସାରିଛି ଅନୁମତି। ଏବେ ଏହି ଭ୍ୟାକ୍ସିନ୍ର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ସରକାର।

ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକ୍ସିନ୍ iNCOVACC କୁ ଅନୁମତି ମିଳିବା ପରେ ଏହାର ଦାମ୍‌କୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଜିଏସ୍ଟିକୁ ମିଶାଇ ଟିକାର ପ୍ରକୃତ ମୂଲ୍ୟ କେତେ ରହିବ ସେ ନେଇ ଟିକା ପ୍ରସ୍ତୁତକାରୀ କମ୍ପାନୀ ସହ ଆଲୋଚନା କରିଥିଲେ ସରକାର।

iNCOVACC ନାଜାଲ ଭ୍ୟାକସିନ୍ର ମୂଲ୍ୟ ୮୦୦ ଟଙ୍କା ରହିଥିବା ବେଳେ ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ। ଏହି ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ୧୦୦୦ଟଙ୍କାକୁ ବଢାଇବାକୁ କମ୍ପାନୀ ଚାହୁଁଥିବା ଜଣାପଡିଛି। ତେବେ ହସପିଟାଲ ପକ୍ଷରୁ ସେମାନଙ୍କର ଅତିରିକ୍ତ ଚାର୍ଜ ମିଶାଇ ପାରନ୍ତି । କୋୱିନ୍ ପ୍ଲାଟଫର୍ମରେ ମଧ୍ୟ ଏହି ନାଜାଲ ଭ୍ୟାକ୍ସିନ୍ ଉପଲବ୍ଧ ହେବ। ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ। ଯେଉଁମାନେ ବୁଷ୍ଟର ଡୋଜ ନେଇନାହାନ୍ତି, ସେମାନେ ଏହାକୁ ନେଇପାରିବେ । ଯେ କେହି କୋଭାକ୍‌ସିନ କିମ୍ବା କୋଭିସିଲଡ୍‌ ଟିକା ନେଇଛନ୍ତି ସେମାନେ ଇନ୍‌କୋଭାକ୍‌କୁ ବୁଷ୍ଟର ଡୋଜ୍‌ ଭାବେ ନେଇ ପାରିବେ।

ତେବେ ସରକାରୀ ସ୍ତରରେ ଏହି ଭ୍ୟାକସିନର ଦାମ୍‌ ୩୨୫ ଟଙ୍କା ରହିଛି । କିନ୍ତୁ ଏବେ ଏହା କେବଳ ଘରୋଇ ହସପିଟାଲରେ ଉପଲବ୍ଧ ହେବ। ଏହି ଭ୍ୟାକସିନର ନାମ୍‌ BBV 154 ରହିଛି। ତେବେ ଭାରତ ବାୟୋଟେକ ପକ୍ଷରୁ ଏହାର ନାମ iNCOVACC ନାମ ରଖିଛି ।

କେମିତି ନେବେ ନାଜାଲ ଭ୍ୟାକସିନ୍‌ :

ନାଜାଲ ଭ୍ୟାକସିନକୁ ନାକ ଜରିଆରେ ଡ୍ରପ ପକାଇ ଭ୍ୟାକସିନର ବୁଷ୍ଟର ଡୋଜ ଭାବେ ନେଇପାରିବେ। ଭ୍ୟାକସିନର ୨-୨ ଡ୍ରପ ନାକ ପୁଡାରେ ପକାଯିବ। ଏହି ଭ୍ୟାକସିନ ନେବାର କୌଣସି ପ୍ରକାରର ଯନ୍ତ୍ରଣା ହେବ ନାହିଁ । ପ୍ରଥମେ ବେସରକାରୀ ହସ୍ପିଟାଲ ମାନଙ୍କରେ ଏହି ଭ୍ୟାକ୍ସିନ ଉପଲବ୍ଧ ହେଉଛି । ବହୁ ଲୋକ ଇଞ୍ଜେକ୍ସନ ନେବାକୁ ଭୟ କରିଥାନ୍ତି । ତେଣୁ ନାଜଲ ଭ୍ୟାକ୍ସିନକୁ ଅତି ସହଜରେ ନାକରେ ପକାଇ କରୋନାରୁ ସୁରକ୍ଷା ପାଇହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.