ସୀମା ହାଇଦର୍‌ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ନେପାଳ ସୀମାରେ ମୁତୟନ SSBର ୨ ସୁରକ୍ଷାକର୍ମୀ ନିଲମ୍ବିତ

ସୀମା ହାଇଦର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନେପାଳର ସିଦ୍ଧାର୍ଥ ନଗର ସୀମାରେ ମୁତୟନ ଏସ୍‌ଏସ୍‌ବି (SSB)ର ଜଣେ ଇନ୍ସପେକ୍ଟର ଏବଂ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି।

ସୀମା ହାଇଦର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନେପାଳର ସିଦ୍ଧାର୍ଥ ନଗର ସୀମାରେ ମୁତୟନ ଏସ୍‌ଏସ୍‌ବି (SSB)ର ଜଣେ ଇନ୍ସପେକ୍ଟର ଏବଂ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। କୁହାଯାଉଛି ଯେ ନେପାଳ ଦେଇ ପାକିସ୍ତାନରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ ସୀମା ଗୁଲାମ୍‌ ହାଇଦର।

ମିଡିଆ ରିପୋର୍ଟ ମୁତାବକ, ପାକିସ୍ତାନରୁ ଭାରତ ଆସିବା ପାଇଁ ସୀମା ନିଜର ଚାରି ପିଲାଙ୍କୁ ଧରି ପ୍ରଥମେ ଦୁବାଇ ଯାଇଥିଲେ। ଏହାପରେ ଦୁବାଇରୁ ନେପାଳ ଆସିଥିଲେ ଏବଂ ଏଠାରୁ ସଡ଼କ ପଥ ଦେଇ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ। ରିପୋର୍ଟରେ କୁହାଯାଇଛି ଯେ ନେପାଳର ସିଦ୍ଧାର୍ଥ ନଗର ସୀମାରେ ଯାଞ୍ଚ ସମୟରେ ସୀମା ତାଙ୍କ ନାମ ଏବଂ ପରିଚୟ ଭାରତୀୟ ବୋଲି କହିଥିଲେ।

ସେପଟେ ନିଲମ୍ବିତ ଦୁଇ କର୍ମଚାରୀଙ୍କ ନାମ ଇନ୍ସପେକ୍ଟର ସୁଜିତ କୁମାର ବର୍ମା ଏବଂ ହେଡ୍‌ କନଷ୍ଟେବଳ ଚନ୍ଦ୍ର କମଲ। ତେବେ ସୀମା ହାଇଦର ଯେତେବେଳେ ତାଙ୍କର ଚାରି ପିଲାଙ୍କୁ ଧରି ବସ୍‌ରେ ନେପାଳରୁ ଭାରତ ଆସୁଥିଲେ, ସେହି ସମୟରେ ସିଦ୍ଧାର୍ଥ ନଗର ପୋଷ୍ଟରେ ବସ୍‌ ଯାଞ୍ଚ କରାଯାଇଥିଲା।

ଘଟଣା ସାମ୍ନାକୁ ଆସିବା ପରେ ଅଧିକାରୀମାନେ ଏହାର ତଦନ୍ତ କରିଥିଲେ। ତଦନ୍ତ ଶେଷ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତଦନ୍ତରେ ଉଭୟ କର୍ମଚାରୀଙ୍କ ଅବହେଳା ସାମ୍ନାକୁ ଆସିଥିଲା।

You might also like