ଉତ୍ତର ପ୍ରଦେଶରେ ଆଦିତ୍ୟନାଥ ସରକାରକୁ ବଡ଼ ଝଟକା: ପଞ୍ଚାୟନ ନିର୍ବାଚନ ଫଳାଫଳରେ ସପା’କୁ ବିପୁଳ ସଫଳତା

ଉତ୍ତର ପ୍ରଦେଶ: ପଶ୍ଚିମବଙ୍ଗ ପରେ ଉତ୍ତର ପ୍ରଦେଶରେ ବିଜେପିକୁ ଧକ୍କା । ନିଜ ଗଡରେ ମାଟି କାମୁଡିଲା ବିଜେପି । ପଞ୍ଚାୟନ ନିର୍ବାଚନ ଫଳାଫଳରେ କ୍ଷମତାରେ ଥିବା ଯୋଗୀ ଆଦିତ୍ୟନାଥ ସରକାରକୁ ଲାଗିଛି ବଡ଼ ଝଟକା । ସମାଜବାଦୀ ପାର୍ଟି ବିଜେପି ବିରୋଧରେ ବଡ଼ ବିଜୟ ହାସଲ କରିଛି । ବିଜେପି ଗଡ଼ କୁହାଯାଉଥିବା ବାରଣାସୀ, ଅଯୋଧ୍ୟା ଓ ମଥୁରା, ଲକ୍ଷ୍ନୌ ଓ ଗୋରଖପୁରରେ ସମାଜବାଦୀ ପାର୍ଟି ଓ ବିଏସପିକୁ ବିପୁଳ ସଫଳତା ମିଳିଛି । ପଞ୍ଚାୟତ ନିର୍ବାଚନର ଫଳାଫଳ ବିଜେପି ସରକାରର ମୁଣ୍ଡବ୍ୟଥା ବଢାଇଛି । ପିଏମ ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ।

ଜିଲ୍ଲା ପଞ୍ଚାୟତର ୪୦ଟି ଆସନରୁ ବିଜେପି ଖାତାକୁ ମାତ୍ର ୭ଟି ସିଟ୍‌ ଯାଇଛି । ସେହିପରି ଏସପିକୁ ୧୫ ଓ ବିଏସପିକୁ ଗୋଟିଏ ସିଟ୍‌ ମିଳିଛି । ଏଠାରେ ଅପନା ଦଳ (ଏସ୍‌)କୁ ୩ ସିଟ୍‌, ଆମ୍‌ ଆଦମୀ ପାର୍ଟି ଓ ସୁଭାଏସପିକୁ ଗୋଟିଏ ଲେଖାଏ ଆସନ ମିଳିଛି । ୩ ସ୍ୱାଧୀନ ପାର୍ଟିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ମଥୁରାରେ ବିଜେପିକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏଠାରେ ମାୟାବତୀଙ୍କ ବିଏସପି ୧୩ଟି ଆସନରେ ବିଜୟୀ ହୋଇଥିବା ବେଳେ ରାଷ୍ଟ୍ରୀୟ ଲୋକଦଳ ୯ଟି ସିଟରେ ବିଜୟୀ ହୋଇଛି । ତେବେ ବିଜେପି ଖାତାକୁ ୮ଟି ସିଟ୍‌ ଯାଇଛି । ଏସପି ମାତ୍ର ଗୋଟିଏ ଆସନ ଜିତିଥିବା ବେଳେ କଂଗ୍ରେସ ଖାତା ଖୋଲିପାରି ନାହିଁ । ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ବାଜି ମାରିଛନ୍ତି । ଅଯୋଧ୍ୟାରେ ମଧ୍ୟ ବିଜେପିର ପ୍ରଦର୍ଶନ ଶୋଚନୀୟ ରହିଛି ।

ଜିଲ୍ଲାର ୪୦ଟି ପଞ୍ଚାୟତ ସିଟ୍‌ ମଧ୍ୟରୁ ସମାଜବାଦୀ ପାର୍ଟି ୨୪ଟି ଆସନରେ ବାଜିମାତ କରିଥିବା ବେଳେ ବିଜେପି ମାତ୍ର ୬ଟି ଏବଂ ବିଏସପି ୫ଟିରେ ବିଜୟୀ ହୋଇଛି । ଲକ୍ଷ୍ନୌରେ ଏସପି ୧୦ଟି ଓ ବିଏସପି ୪ଟି ସିଟରେ ବାଜି ମାରିଥିବା ବେଳେ ବିଜେପି ମାତ୍ର ୩ଟି ଆସନରେ ସନ୍ତୁଷ୍ଟ ହୋଇଛି । ସେହିପରି ଗୋରଖପୁରରେ ସମାଜବାଦୀ ପାର୍ଟି ୨୧ଟି ଆସନରେ ବିଜୟ ବାନା ଉଡାଇଥିବା ବେଳେ ବିଜେପି ୨୦ଟି ଆସନ୍ତରେ ସନ୍ତୁଷ୍ଟ ହୋଇଛି । ଆଉ ୮ ମାସ ପରେ ୟୁପିରେ ବିଧାନସଭା ନିର୍ବାଚନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.