ଟିକେଟ୍‌ ଫେରାଇଲେ ବିଜେପି ସାଂସଦ, ନିର୍ଦ୍ଦୋଷ ପ୍ରମାଣିତ ନ ହେବା ଯାଏ ଲଢ଼ିବେନି ନିର୍ବାଚନ

ଉତ୍ତର ପ୍ରଦେଶର ବାରାବଙ୍କିରୁ ବିଜେପି ସାଂସଦ ଉପେନ୍ଦ୍ର ସିଂ ରାୱତ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି । ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ସାଂସଦ ଏହି ନିଷ୍ପତ୍ତି ନେଇଛନ୍ତି ।

ଉତ୍ତର ପ୍ରଦେଶର ବାରାବଙ୍କିରୁ ବିଜେପି ସାଂସଦ ଉପେନ୍ଦ୍ର ସିଂ ରାୱତ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି । ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ସାଂସଦ ଏହି ନିଷ୍ପତ୍ତି ନେଇଛନ୍ତି । ବିଜେପି ଏଥର ମଧ୍ୟ ତାଙ୍କୁ ବାରାବଙ୍କିରୁ ଟିକେଟ ଦେଇଥିଲା । କିନ୍ତୁ ରାୱତ କହିଛନ୍ତି ଯେ ଯେପର୍ଯ୍ୟନ୍ତ ତାଙ୍କୁ କ୍ଲିନ୍‌ ଚିଟ୍‌ ନ ମିଳିଛି, ସେ ନିର୍ବାଚନ ଲଢ଼ିବେ ନାହିଁ ।

ବିଜେପି ଶନିବାର ୧୯୫ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନାମ ଥିଲା । ଉପେନ୍ଦ୍ର ସିଂ ରାୱତଙ୍କୁ ବାରାବଙ୍କିରୁ ପୁଣି ଟିକେଟ ଦିଆଯାଇଥିଲା । ଏହାରି ଭିତରେ ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏ ନେଇ ସାଂସଦଙ୍କ ପ୍ରତିନିଧି ଦିନେଶ ଚନ୍ଦ୍ର ରାୱତ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଭାଇରାଲ ଭିଡିଓକୁ ଫେକ୍‌ ତଥା ଏଡିଟେଡ୍‌ ବୋଲି କୁହାଯାଇଛି । ଏହାସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଉପେନ୍ଦ୍ର ସିଂ ରାଓ୍ଵତ ଲେଖିଛନ୍ତି, ‘ମୋର ଏକ ଏଡିଟେଡ୍‌ ଭିଡିଓ ଭାଇରାଲ କରାଯାଉଛି, ଯାହା ଡିପ୍‌ଫେକ AI ଟେକ୍ନିକ୍‌ ଦ୍ୱାରା ସଞ୍ଚାଳିତ । ଏ ନେଇ ଏତଲା ଦାୟର କରିଛି । ଯେ ପର୍ଯ୍ୟନ୍ତ ମୁଁ ନିର୍ଦ୍ଦୋଷ ପ୍ରମାଣିତ ନ ହୋଇଛି, ସେ ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ିବି ନାହିଁ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.