Below header

ମିରଟରେ ବଡ଼ ଦୁର୍ଘଟଣା: ପୂର୍ବତନ ବିଧାୟକଙ୍କ ଶୀତଳଭଣ୍ଡାରର ବୟଲର ଫାଟିଲା; ଛାତ ଉଡ଼ି ୫ ଶ୍ରମିକ ମୃତ, ୫୦ରୁ ଊର୍ଦ୍ଧ୍ୱ ଆହତ

ମିରଟରେ ବିଏସ୍‌ପିର ପୂର୍ବତନ ବିଧାୟକ ଚନ୍ଦ୍ରବୀର ସିଂଙ୍କ କୋଲ୍ଡ ଷ୍ଟୋରେଜ୍‌ରେ ଶୁକ୍ରବାର ବୟଲର ଫାଟି ଯାଇଛି, ଯାହାଫଳରେ କୋଲ୍ଡ ଷ୍ଟୋରେଜ୍‌ର ଛାତ ଉଡ଼ି ୪ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ମିରଟର ଜନପଦର ଦୌରଲା ଅଞ୍ଚଳରେ ବିଏସ୍‌ପିର ପୂର୍ବତନ ବିଧାୟକ ଚନ୍ଦ୍ରବୀର ସିଂଙ୍କ କୋଲ୍ଡ ଷ୍ଟୋରେଜ୍‌ରେ ଶୁକ୍ରବାର ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, କୋଲ୍ଡ ଷ୍ଟୋରେଜ୍‌ର ବୟଲର ଫାଟି ଯିବାରୁ ସେଥିରୁ ଗ୍ୟାସ୍‌ ନିର୍ଗତ ହେବା ସହ ବିସ୍ଫୋରଣରେ ପୂରା ଛାତ ଉଡ଼ି ଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଏବଂ ୫୦ରୁ ୬୦ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

କିଛି ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ବେଳେ ଆଉ କିଛି ଶ୍ରମିକ ଗ୍ୟାସ୍‌ ନିର୍ଗତ ହେତୁ ବେହୋସ୍‌ ଅବସ୍ଥାରେ ଅଛନ୍ତି। ସେମାନଙ୍କୁ ମିରଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିଏସ୍‌ପିର ପୂର୍ବତନ ବିଧାୟକ ଚନ୍ଦ୍ରବୀର ସିଂଙ୍କର ଦୌରାଲାରେ ଏକ ଶୀତଳଭଣ୍ଡାର ରହିଛି। ପୋଲିସ ମୁତାବକ, ଶୁକ୍ରବାର ଦ୍ୱିପ୍ରହର ସାଢ଼େ ୩ଟାରେ କୋଲ୍ଡ ଷ୍ଟୋରେଜ୍‌ର ବୟଲର ଫାଟି ଯାଇଥିଲା, ଯେଉଁ କାରଣରୁ ନିମୋନିୟା ଗ୍ୟାସ୍‌ ନିର୍ଗତ ହୋଇଥିଲା। ଏଥିରେ ଅଣନିଃଶ୍ୱାସୀ ହୋଇ ୫୦ ଜଣ ଶ୍ରମିକ ବେହୋସ୍‌ ହୋଇଯାଇଥିଲେ।

ସେପଟେ ଘଟଣା ବିଷୟରେ ସୂଚନା ପାଇବା କ୍ଷଣି ଆଖପାଖର ଲୋକେ ସେଠାରେ ରୁଣ୍ଡ ହୋଇଛନ୍ତି। ପୋଲିସ ଏବଂ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ମୁତୟନ ରହିଛି। ଏଥିସହ କମିଶନରଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। କେନ୍ଦ୍ର ରାଜ୍ୟମନ୍ତ୍ରୀ ସଞ୍ଜୀବ ବାଲିୟାନ ଓ ପୂର୍ବତନ ବିଧାୟକ ସଙ୍ଗୀତ ସୋମ୍‌ ବି ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଦୁର୍ଘଟଣା ପରେ ଗୋଟିଏ ପରେ ଗୋଟିଏ ପାଖାପାଖି ୧୧ଟି ଆମ୍ବୁଲାନ୍ସ ଭଗ୍ନାବଶେଷ ତଳେ ପୋତି ହୋଇଥିବା ଶ୍ରମିକମାନଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହ ଅଧିକାରୀଙ୍କ ନିର୍ଦ୍ଦେଶରେ ୨-୩ଟି ଜେସିବିକୁ ଘଟଣାସ୍ଥଳକୁ ଡକାଯାଇଛି। ଜେସିବିଗୁଡ଼ିକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଶ୍ରମିକମାନଙ୍କୁ ବାହାର କରିବାରେ ନିୟୋଜିତ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.