ଦୀର୍ଘ ୧୦ ଦିନ ହେଲା ବ୍ରାଜିଲ ରାଷ୍ଟ୍ରପତିଙ୍କୁ ହେଉଛି ହାକୁଟି, କରିବାକୁ ପଡ଼ିପାରେ ସର୍ଜରୀ

ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କୁ ଗତ ୧୦ ଦିନ ହେବ ହାକୁଟି ଆସିବା ପରେ ବୁଧବାର ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବାନୁସାରେ, ତାଙ୍କ ଅନ୍ତନାଡ଼ିରେ କିଛି ସମସ୍ୟା ଥିବାରୁ ଏଭଳି ହାକୁଟି ଆସୁଛି। ଏଥିପାଇଁ ସର୍ଜରୀ କରିବାକୁ ପଡ଼ିପାରେ। କିନ୍ତୁ ପରେ ଡାକ୍ତର ତାଙ୍କର ତୁରନ୍ତ ସର୍ଜରୀ କରିବାକୁ ମନା କରିଛନ୍ତି।

ଏ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ବୟାନ ଜାରି କରାଯାଇ କୁହାଯାଇଛି ଯେ ବୋଲସୋନାରୋ(୬୬)ଙ୍କୁ ରାଜଧାନୀ ବ୍ରାସିଲିୟାର ‘ଆର୍ମଡ ଫୋର୍ସେସ୍‌ ହସ୍ପିଟାଲ’ରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥାବସ୍ଥା ଭଲ ଅଛି। ଡାକ୍ତର ତାଙ୍କ ହାକୁଟିର ଚିକିତ୍ସା କରୁଛନ୍ତି। ପରେ ଆଉ ଏକ ବୟାନ ଜାରି କୁହାଯାଇଛି ଯେ ୨୦୧୮ରେ ନିର୍ବାଚନ ପ୍ରଚାର ବେଳେ ବୋଲସୋନାରୋଙ୍କ ପେଟରେ ଆଘାତ ଲାଗିଥିଲା। ସେବେଠାରୁ ତାଙ୍କ ଚିକିତ୍ସା ଚାଲିଥିଲା। ଏବେ ସେହି ସମସ୍ୟା ଅଧିକ ବଢ଼ିଯାଇଛି।

ଅନ୍ୟପଟେ ବୋଲସୋନାରୋ ନିଜ ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ନିଜ ହସ୍ପିଟାଲର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ହସ୍ପିଟାଲ ବେଡ୍‌ରେ ଶୋଇଛନ୍ତି। ତାଙ୍କ ନିକଟରେ ଜଣେ ବ୍ୟକ୍ତି ଠିଆ ହୋଇ ରାଷ୍ଟ୍ରପତିଙ୍କ କାନ୍ଧରେ ହାତ ରଖିଛନ୍ତି।


ସୂଚନାଯୋଗ୍ୟ ଯେ ୨୦୧୮ରେ ବୋଲସୋନାରୋଙ୍କ ଉପରେ ହୋଇଥିବା ଆକ୍ରମଣରେ ତାଙ୍କ ଅନ୍ତନଳୀରେ ଆଘାତ ଲାଗିଥିଲା। ସେତେବେଳେ ତାଙ୍କ ସର୍ଜରୀ କରାଯାଇଥିଲା। ନିକଟରେ କେତେକ କାର୍ଯ୍ୟକ୍ରମରେ ତାଙ୍କୁ କହିବା ବେଳେ ସମସ୍ୟା ହେଉଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.