କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନ ମାମଲାରେ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କୁ ଆଶ୍ୱସ୍ତି, କୋର୍ଟ ଦେଲେ ଅନ୍ତରୀଣ ଜାମିନ୍‌

ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କୁ କୋର୍ଟରୁ ଆରାମ ମିଳିଛି। ବ୍ରିଜ୍‌ ଭୂଷଣ ମଙ୍ଗଳବାର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ।

ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କୁ କୋର୍ଟରୁ ଆରାମ ମିଳିଛି। ବ୍ରିଜ୍‌ ଭୂଷଣ ମଙ୍ଗଳବାର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। କୋର୍ଟ ତାଙ୍କୁ କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନ ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।

ଦିଲ୍ଲୀ ପୋଲିସ ପକ୍ଷରୁ ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବ ଉପସ୍ଥିତ ଥିଲେ। କୋର୍ଟ ପଚାରିଥିଲେ ଯେ ଜାମିନ ପାଇଁ ଆପଣଙ୍କର ଯୁକ୍ତି କ’ଣ ରହିଛି? ସରକାରୀ ଓକିଲ କହିଥିଲେ, ଆମେ ବ୍ରିଜ ଭୂଷଣଙ୍କୁ ଗିରଫ କରିନାହୁଁ। ଜାମିନ ପ୍ରଦାନରେ ସର୍ତ୍ତ ରହିବା ଜରୁରୀ।

ଏହା ଉପରେ କୋର୍ଟ ବ୍ରିଜ ଭୂଷଣଙ୍କୁ ଜୁଲାଇ ୨୦ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। କୋର୍ଟ କହିଥିଲେ ଯେ ନିୟମିତ ଜାମିନ ଉପରେ ଯୁକ୍ତି ଶୁଣିବା ପରେ ଜୁଲାଇ ୨୦ରେ ନିଷ୍ପତ୍ତି ନିଆଯିବ। କୋର୍ଟ ବ୍ରିଜ ଭୂଷଣଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତ ବିନୋଦ ତୋମାରଙ୍କୁ ମଧ୍ୟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ୨୫ ହଜାର ବ୍ୟକ୍ତିଗତ ବଣ୍ଡ୍‌ରେ ଜାମିନ ପ୍ରଦାନ କରାଯାଇଛି।