ପାର୍କରେ ହଟହଟା ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ପତ୍ନୀ, ପୋଷା କୁକୁରକୁ ଖୋଲା ଛାଡ଼ିଥିବାରୁ ଏମିତି କହିଲା ପୋଲିସ!
ନୂଆ ସମସ୍ୟାରେ ଫସିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ। ସୁନକ ଓ ତାଙ୍କ ପତ୍ନୀ ସେଣ୍ଟ୍ରାଲ ଲଣ୍ଡନର ଏକ ପାର୍କରେ ପୋଷା କୁକୁରକୁ ବିନା ଚେନ୍ରେ ବୁଲାଉଥିବା ଦେଖିବାକୁ ମିଳିଛି।

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ନୂଆ ସମସ୍ୟାରେ ଫସିଛନ୍ତି। ସୁନକ ଓ ତାଙ୍କ ପତ୍ନୀ ସେଣ୍ଟ୍ରାଲ ଲଣ୍ଡନର ହାଇଡ ପାର୍କରେ ପୋଷା କୁକୁର ‘ନୋଭା’କୁ ବିନା ଚେନ୍ରେ ବୁଲାଉଥିବା ଦେଖିବାକୁ ମିଳିଛି। ପାର୍କର ନିୟମ ରହିଛି ଯେ ପୋଷା ଜୀବଜନ୍ତୁମାନଙ୍କୁ ବୁଲାଇବାକୁ ହେଲେ ସେମାନଙ୍କୁ ଚେନ୍ରେ ବାନ୍ଧିବା ଜରୁରୀ। କିନ୍ତୁ ଏଠାରେ ସୁନକ କୁକୁରକୁ ଖୋଲା ଛାଡ଼ିଥିଲେ, ଯାହାକୁ ନେଇ ପୋଲିସ ସେମାନଙ୍କୁ ପାର୍କର ନିୟମ ବିଷୟରେ ମନେ ପକାଇ କୁକୁରକୁ ଚେନ୍ରେ ବାନ୍ଧିବାକୁ କହିଥିଲା।
ଟିକଟକରେ ପୋଷ୍ଟ ହୋଇଥିବା କ୍ଲିପ୍ରେ ଋଷି ସୁନକ ନିଜ ପୋଷା କୁକୁରକୁ ବିନା ଚେନ୍ରେ ବୁଲାଉଥିବା ଦେଖିବାକୁ ମିଳୁଛି। ମେଟ୍ରୋପଲିଟାନ ପୋଲିସକୁ ଦେଖି ନୋଭା ମଧ୍ୟ ଭୁକିବାକୁ ଲାଗୁଛି। ପୋଲିସ ଏକ ବିବୃତ୍ତିରେ କହିଛି ଯେ ସେହି ସମୟରେ ଉପସ୍ଥିତ ଜଣେ ଅଧିକାରୀ ସୁନକଙ୍କ ପତ୍ନୀଙ୍କ ସହିତ କଥା ହୋଇଥିଲେ ଏବଂ ତାଙ୍କୁ ନିୟମ ମନେ ପକାଇ ଦେଇଥିଲେ। ଏହାପରେ କୁକୁରକୁ ଚେନ୍ରେ ବନ୍ଧାଯାଇଥିଲା।
ସେପଟେ ସୁନକଙ୍କ ମୁଖପାତ୍ର ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି। ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକ ନିଜ ପରିବାର ସହିତ ବର୍ତ୍ତମାନ ୧୦ ଡାଉନିଂ ଷ୍ଟ୍ରେଟ୍ରେ ରହୁଛନ୍ତି। ତାଙ୍କ ପୋଷା କୁକୁର ନୋଭା ମଧ୍ୟ ତାଙ୍କ ସହିତ ଏଠାରେ ରହୁଛି।
ଏହାପୂର୍ବରୁ ବି କାରରେ ସିଟ୍ ବେଲ୍ଟ ନ ପିନ୍ଧିଥିବାରୁ ଋଷି ସୁନକଙ୍କର ଥରେ ଚାଲାଣ କଟି ସାରିଛି। ଘଟଣା ଚଳିତ ବର୍ଷ ଜାନୁଆରୀରେ ଘଟିଥିଲା। ସାରା ଦେଶରେ ୧୦୦ରୁ ଅଧିକ ପ୍ରକଳ୍ପ ପାଇଁ ସରକାରଙ୍କ ନୂତନ ଘୋଷଣାକୁ ପ୍ରୋତ୍ସାହନ ଦେବାକୁ ଋଷି ସୁନକ ନିଜ କାରରେ ଏକ ଭିଡିଓ କରିଥିଲେ। ଏହି ଭିଡିଓରେ ସେ ସିଟ୍ ବେଲ୍ଟ ବିନା ହିଁ ନଜର ଆସିଥିଲେ। ଆଉ ଏଥିପାଇଁ ପୋଲିସ ତାଙ୍କ ଉପରେ ୧୦୦ ପାଉଣ୍ଡର ଜରିମାନା ଲଗାଇଥିଲା।