ଚାଲିଗଲେ ସମାଜବାଦୀ ପାର୍ଟି ସୁପ୍ରିମୋ, ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଉତ୍ତରପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ଆଜି ଦେହାନ୍ତ ହୋଇଛି । ମୁଲାୟମଙ୍କ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ ସମ୍ମାନର ସହ ମୁଲାୟମଙ୍କର ଅନ୍ତିମ ସଂସ୍କାର ହେବ ବୋଲି ଯୋଗୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଟ୍ଵିଟ୍‌ କରି କହିଛନ୍ତି, ‘ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ପରଲୋକରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରୁଛି। ତାଙ୍କ ମୃତ୍ୟୁରେ ସମାଜବାଦୀ ପାର୍ଟିର ପ୍ରମୁଖ ସ୍ତମ୍ଭ ଏବଂ ସଂଘର୍ଷଶୀଳ ଯୁବର ଅନ୍ତ ହୋଇଛି। ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ମୋର ସମବେଦନା। ତା’ ଛଡା ତାଙ୍କ ମୃତ୍ୟୁରେ ଉତ୍ତରପ୍ରଦେଶରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ତାଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ସମ୍ମାନର ସହିତ ହେବ।


ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ୮୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ମୁଲାୟମଙ୍କର ମୃତ୍ୟୁ ହୋଇଛି । ଏନେଇ ଟ୍ୱିଟ୍ କରି ତାଙ୍କ ପୁଅ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି । ଅସୁସ୍ଥତା ପାଇଁ ତାଙ୍କୁ ଅଗଷ୍ଟ ୨୨ରେ ମେଦାନ୍ତରେ ଭର୍ତ୍ତି କରାଯାଇଥିଲା । ଅକ୍ଟୋବର ୨ ତାରିଖରେ ଆଇସିୟୁକୁ ସ୍ଥାନାନ୍ତରିତ ହୋଇଥିଲେ । ଅକ୍ସିଜେନ ଲେବଲ କମିବା ଯୋଗୁଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ମୁଲାୟମ ସିଂ ଯାଦବଙ୍କୁ ୟୁରିନ୍ ସଂକ୍ରମଣ, ବ୍ଲଡ ପ୍ରେସରର ସମସ୍ୟା ସହିତ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା, ଯାହାଫଳରେ ତାଙ୍କୁ ମେଦାନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ଥିଲା । ସେଠାରେ ଡାକ୍ତର ଟିମ୍‌ ତାଙ୍କର ଚିକିତ୍ସା କରୁଥିଲେ। ୨୨ ଅଗଷ୍ଟରେ ଭର୍ତ୍ତି ହୋଇଥିବା ମୁଲାୟମ ଆଜି ସକାଳ ୮.୧୬ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସମାଜବାଦୀ ପାର୍ଟି ଟ୍ଵିଟ୍‌ କରି କହିଛି, ‘ମୋର ଆଦରଣୀୟ ପିତା ଏବଂ ସମସ୍ତଙ୍କ ନେତାଜୀ ଆଉ ନାହାନ୍ତି।

ତେବେ ମୁଲାୟମ ୩ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ୭ ଥର ସଂସଦକୁ ନିର୍ବାଚିତ ହେବା ସହ କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାମ କରିଥିଲେ । ୟୁପିରୁ ୮ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୁଲାୟମଙ୍କ ମୃତ୍ୟୁକୁ ନେଇ ଅନେକ ବରିଷ୍ଠ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି ।

Also Read : ପରଲୋକରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ୍‌ ସିଂ ଯାଦବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.