କାନପୁରରେ ଥଣ୍ଡାର ପ୍ରକୋପ; ୯ ଦିନରେ ହାର୍ଟ ଆଟାକ୍‌ରେ ୧୩୧ ଜଣଙ୍କ ମୃତ୍ୟୁ…ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଲେ ଡାକ୍ତର

ଉତ୍ତର ପ୍ରଦେଶର କାନପୁରରେ ଥଣ୍ଡା କାରଣରୁ ହାର୍ଟ ଆଟାକ୍‌ରେ ହେଉଥିବା ମୃତ୍ୟୁ ଚିନ୍ତାର ବିଷୟ ହୋଇଛି। ୧ ଜାନୁୟାରୀରୁ ୯ ଜାନୁୟାରୀ ମଧ୍ୟରେ ୧୩୧ ଜଣଙ୍କର ହାର୍ଟ ଆଟାକ୍‌ରେ ମୃତ୍ୟୁ ଘଟିଛି। LPS Heart Disease Centerର କାର୍ଡିଓଲୋଜି ଡିପାର୍ଟମେଣ୍ଟର ନିର୍ଦ୍ଦେଶକ ପ୍ରଫେସର ବିନୟ କୃଷ୍ଣା କହିଛନ୍ତି, ଏହି ତଥ୍ୟ ଆଶ୍ଚର୍ଯ୍ୟଜନକ, ପୂର୍ବରୁ ଏତେ ମୃତ୍ୟୁ କେବେ ବି ଦେଖାଯାଇ ନ ଥିଲା।

ପ୍ରଫେସରଙ୍କ କହିବା ହେଲା, ପୋଷ୍ଟ କୋଭିଡ୍‌ ଇଫେକ୍ଟ ଏବଂ ଥଣ୍ଡାର ଡେଡ୍‌ଲି କମ୍ବିନେସନ ସୃଷ୍ଟି ହେଉଛି। ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ସଂସ୍ଥାନ ଆଲର୍ଟ ମୋଡ୍‌ରେ କାମ କରୁଛି। ସେପଟେ ୟୁପି ସରକାରଙ୍କ ସହାୟତାରେ ସମସ୍ତ ରୋଗୀଙ୍କୁ ନିଶୁଳ୍କ ଚିକିତ୍ସା ଉପଲବ୍ଧ କରାଯାଉଛି। ତାଙ୍କ କହିବା ହେଲା ଯେ ଥଣ୍ଡା ବଢ଼ୁଛି, ରକ୍ତଚାପ ରୋଗୀ ସାବଧାନତା ଅବଲମ୍ବନ କରନ୍ତୁ।

୧ରୁ ୯ ଜାନୁୟାରୀ ଭିତରେ ୧୩୧ ଲୋକଙ୍କ ମୃତ୍ୟୁ ସମ୍ପର୍କିତ ତଥ୍ୟ କେବଳ କାନପୁରର ହୃଦୟ ରୋଗ ସଂସ୍ଥାନ ‘LPS Heart Disease Center’ରୁ ହିଁ ସାମ୍ନାକୁ ଆସିଛି। ଗ୍ରାମାଞ୍ଚଳ ଏବଂ ଅନ୍ୟ ସିଏଚ୍‌ସି ହସ୍ପିଟାଲ ଓ ସରକାରୀ ହସ୍ପିଟାଲଗୁଡ଼ିକର ତଥ୍ୟ ଏଥିରେ ସାମିଲ ନାହିଁ। ଡାକ୍ତରଙ୍କ ମୁତାବକ, ଥଣ୍ଡାରେ ବିପି ରୋଗୀ ଏବଂ ବୃଦ୍ଧବୃଦ୍ଧାମାନଙ୍କୁ ଅଧିକ ସମସ୍ୟା ହେଉଛି।

କାନପୁରର ହୃଦୟ ରୋଗ ସଂସ୍ଥାନ ଏକ କଣ୍ଟ୍ରୋଲ ରୁମ୍‌ ଆରମ୍ଭ କରିଛି ଏବଂ ହେଲ୍ପଲାଇନ ନମ୍ବର ଜାରି କରି ଲୋକମାନଙ୍କୁ ସହାୟତା ପହଞ୍ଚାଇବାର ରାସ୍ତା ବାହାର କରୁଛି, ଯଦ୍ଦ୍ଵାରା ଲୋକଙ୍କ ଜୀବନ ରକ୍ଷା ହୋଇପାରିବ। ବର୍ଦ୍ଧିତ ମୃତ୍ୟୁ ସଂଖ୍ୟା ଦେଖି ସରକାରଙ୍କ ତରଫରୁ ଔଷଧ ପାଇଁ ବଜେଟ୍‌ ପାରିତ ହୋଇଛି। ଏମରଜେନ୍ସିରେ କୌଣସି ବି ରୋଗୀ ଆସିଲେ, ସେମାନଙ୍କୁ ମାଗଣାରେ ଔଷଧ ମିଳିବ।

କିପରି ରକ୍ଷା ପାଇବେ

କାର୍ଡିଓଲୋଜି ଡିପାର୍ଟମେଣ୍ଟର ନିର୍ଦ୍ଦେଶକ ପ୍ରଫେସର ବିନୟ କୃଷ୍ଣାଙ୍କ କହିବା ହେଲା, ଶୀତ ଲହରିରେ ହୃଦୟ ରୋଗୀ ଥଣ୍ଡାରୁ ନିଜକୁ ରକ୍ଷା କରନ୍ତୁ। ଆବଶ୍ୟକ ପଡ଼ିଲେ ବାହାରକୁ ବାହାରନ୍ତୁ। କାନ, ନାକ ଏବଂ ମୁଣ୍ଡକୁ ଘୋଡ଼ାଇ ରଖନ୍ତୁ। ୬୦ ବର୍ଷରୁ ଅଧିକ ବୟସର ଲୋକେ ଶୀତ ଲହରିରେ ବାହାରକୁ ବାହାରିବା ଉଚିତ୍‌ ନୁହେଁ। ଏଥି ସହିତ ହୃଦୟ ରୋଗୀଙ୍କୁ ରାତିରେ ହାଲୁକା ଭୋଜନ କରିବା ଉଚିତ୍‌। ତାଙ୍କ କହିବା ହେଲା, ଥଣ୍ଡାରେ ହଠାତ୍‌ ରକ୍ତଚାପ ବଢ଼ିଯିବା ଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧିଯାଏ, ଯଦ୍ଦ୍ଵାରା ହାର୍ଟ ଆଟାକ୍‌ ଏବଂ ବ୍ରେନ୍‌ ଆଟାକ୍‌ ଦେଖାଦେଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.