ଭୟଙ୍କର ହେଉଛି କରୋନାର ଦ୍ଵିତୀୟ ଲହରୀ, ୭ ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ ହେଲା ଏହି ଦେଶ

ପୁଣି କାୟା ବିସ୍ତାର କଲାଣି କରୋନା। ବଢ଼ୁଥିବା କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ପଡୋଶୀ ଦେଶ ବାଂଲାଦେଶରେ ଜାରି ହେଲା ଲକ୍‌ଡାଉନ। ସୋମବାର ଠାରୁ ଦେଶରେ ୭ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରାଯାଇଛି। ବାଂଲାଦେଶରେ ୫ ଏପ୍ରିଲରୁ ୭ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ତେବେ ଏଥିରେ କେବଳ ଜରୁରୀକାଳୀନ ସେବାକୁ ବାଦ୍‌ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ବାଂଲାଦେଶରେ କରୋନା ମାମଲା ଲଗାତାର ବଢିବାରେ ଲାଗିଛି। ଦେଶରେ ଶୁକ୍ରବାର ୬୮୩୦ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ଓ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ବାଂଲାଦେଶରେ କରୋନା ମୃତକଙ୍କ ସଂଖ୍ୟା ୯୦୦୦ ଟପି ସାରିଲାଣି। ଏଠାରେ କରୋନାର ପ୍ରଥମ ମାମଲା ୨୦୨୦ ମାର୍ଚ୍ଚ ୮ ତାରିଖରେ ସାମ୍ନାକୁ ଆସିଥିଲା। ଏହାର ୨ ସପ୍ତାହ ପରେ ଏଠାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରାଯାଇଛି। ତେବେ ଏହାକୁ ମିଶାଇ ଦେଶରେ ୨ୟ ଥର ପାଇଁ ଲକ୍‌ଡାଉନ ଘୋଷଣା କରାଯାଇଛି।

ଏନେଇ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି,”ଆମକୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ସଂକ୍ରମଣକୁ ରୋକିବା ପାଇଁ ଆମେ ସମସ୍ତେ ଚେଷ୍ଟା କରୁଛୁ। ହେଲେ ଏଥିପାଇଁ ଲୋକଙ୍କ ସାହାଯ୍ୟ ଜରୁରୀ।” କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ସଂଖ୍ୟାକୁ ମଧ୍ୟ ୫୦ ପ୍ରତିଶତକୁ କମାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସମସ୍ତ ଧାର୍ମିକ, ସାମାଜିକ, ରାଜନୈତିକ ଏବଂ ଅନ୍ୟ ସମାରୋହ ଉପରେ କଟକଣା ଲାଗୁ କରିବାକୁ ଆଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.