ଭାରତ ଯୋଡ଼ୋ ଯାତ୍ରା ପରେ କଂଗ୍ରେସ ଆରମ୍ଭ କରିବ ‘ହାଥ୍‌ ସେ ହାଥ୍‌ ଯୋଡ଼ୋ ଅଭିଯାନ’! ୨୬ ଜାନୁଆରୀରୁ ସାରା ଦେଶରେ ଚାଲିବ କାର୍ଯ୍ୟକ୍ରମ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି। ଆସନ୍ତା ବର୍ଷ ଫେବୃଆରୀରେ ଛତିଶଗଡ ରାଜଧାନୀ ରାୟପୁରରେ କଂଗ୍ରେସର ତିନି ଦିନିଆ ଅଧିବେଶନ ଅନୁଷ୍ଠିତ ହେବ। ବୈଠକରେ ସଂଗଠନ ସଚିବ କେ.ସି ଭେନୁଗୋପାଳ କହିଛନ୍ତି, ଏହି ଅଧିବେଶନ ଫେବୃଆରୀର ଦ୍ୱିତୀୟ ଫୋର୍ଟନାଇଟ୍‌ରେ ଅନୁଷ୍ଠିତ ହେବ। ଏଥିରେ କଂଗ୍ରେସ ଦଳ ବିଭିନ୍ନ ପ୍ରସଙ୍ଗକୁ ନେଇ ମନ୍ଥନ କରିବ।

ସଂଗଠନ ସଚିବ କେ.ସି ଭେନୁଗୋପାଳ କହିଛନ୍ତି ଯେ କଂଗ୍ରେସ ଦଳ ଭାରତ ଯୋଡ଼ୋ ଯାତ୍ରାର ସମାପନ ପରବର୍ତ୍ତୀ ଯୋଜନା ବିଷୟରେ ଆଲୋଚନା କରିବା ପରେ ଆଉ ଏକ ନିଷ୍ପତ୍ତି ନେଇଛି। ଆସନ୍ତା ଜାନୁଆରୀ ୨୬ରେ ସାରା ଦେଶରେ ଦଳ ‘ହାଥ୍‌ ସେ ହାଥ୍‌ ଯୋଡ଼ୋ’ ଅଭିଯାନ ଆରମ୍ଭ କରିବ। ସେ ଆହୁରି କହିଥିଲେ କି, ଦୁଇ ମାସ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ଥିବା ଏକ ଚିଠି ମଧ୍ୟ ଲୋକଙ୍କୁ ହସ୍ତାନ୍ତର କରାଯିବ। ସାରା ଦେଶର କଂଗ୍ରେସ କର୍ମକର୍ତ୍ତାମାନେ ଏଥିରେ ସାମିଲ ହେବେ। ପରିଚାଳନା କମିଟିର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଦଳର ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଆଗାମୀ ଯୋଜନା ସମ୍ପର୍କରେ କଂଗ୍ରେସ ଦଳର ପରିଚାଳନା କମିଟି ଏହି ନିଷ୍ପତ୍ତି ନେଇଥିଲା। ଖଡ଼ଗେ ଅଧ୍ୟକ୍ଷ ହେବା ପରେ ଏହା କଂଗ୍ରେସ ପରିଚାଳନା କମିଟିର ପ୍ରଥମ ବୈଠକ ଥିଲା। କହି ରଖୁଛୁ, ଦଳର ଅଧ୍ୟକ୍ଷ ପଦର ଦାୟିତ୍ୱ ସମ୍ଭାଳିବା ପରେ ମଲ୍ଲିକାର୍ଜୁନ ଖଡ଼ଗେ ହିଁ ପରିଚାଳନା କମିଟି ଗଠନ କରିଥିଲେ।

ଦଳ ସୂତ୍ରରୁ ଜଣାପଡ଼ିଛି, ବୈଠକରେ ଖଡ଼ଗେ କହିଥିଲେ କି, ଯେଉଁମାନେ ନିଜର ଦାୟିତ୍ୱ ସମ୍ଭାଳିବାରେ ଅସମର୍ଥ, ସେମାନେ ନୂଆ ଲୋକଙ୍କୁ ସୁଯୋଗ ଦେବା ଉଚିତ୍। ବୈଠକରେ ଖଡ଼ଗେଙ୍କ ବ୍ୟତୀତ ଦଳର ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ, ବରିଷ୍ଠ ନେତା ପି ଚିଦାମ୍ବରମ, ସଂଗଠନ ସଚିବ କେ.ସି ଭେନୁଗୋପାଳ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ। ସୂଚନାଥାଉ କି, ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତତା କାରଣରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୈଠକରେ ଯୋଗ ଦେଇ ନ ଥିଲେ।