ଭାରି ବର୍ଷା କାରଣରୁ ମହାରାଷ୍ଟ୍ରରେ ଗଲାଣି ୪୭ ଜଣଙ୍କ ଜୀବନ, କର୍ଣ୍ଣାଟକ ସ୍ଥିତି ବି ଗମ୍ଭୀର, ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପିଏମ ମୋଦି

ଭାରି ବର୍ଷା ଓ ବନ୍ଧରୁ ପାଣି ଛଡ଼ା ଯିବା କାରଣରୁ କର୍ଣ୍ଣାଟକର ଅନେକ ସ୍ଥାନରେ ବନ୍ୟା ଭଳି ସ୍ଥିତି ଦେଖାଦେଉଛି । ପଡୋଶୀ ରାଜ୍ୟ ମହାରାଷ୍ଟ୍ରର ପୁନେ, ଔରଙ୍ଗାବାଦ, କୋଙ୍କଣ ପରି ସ୍ଥାନ ମାନଙ୍କରେ ବି ସ୍ଥିତି ବିଗିଡି ଏଯାବତ ୪୭ ଜଣଙ୍କ ଜୀବନ ଗଲାଣି । ଏହା ସହ ରାଜ୍ୟର ଲକ୍ଷ ଲକ୍ଷ ହେକ୍ଟର ଫସଲ ବି ନଷ୍ଟ ହୋଇଥିବା ଜଣାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁଆରାପ୍ପା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିବା ସହ କେନ୍ଦ୍ର ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ମହାରାଷ୍ଟ୍ରର ପଶ୍ଚିମ ଭାଗରେ ବନ୍ୟା କାରଣରୁ ୨୮ ଜଣଙ୍କ, ଔରଙ୍ଗବାଦ ଡିଭିଜନରୁ ୧୬ ଜଣଙ୍କର, କୋଙ୍କଣ ପ୍ରାନ୍ତରୁ ତିନି ଜଣଙ୍କର ଜୀବନ ଯାଇଛି । ପୁନେ ସ୍ଥିତ ଡ଼ିଭିଜନାଲ ଆୟୁକ୍ତଙ୍କ କାର୍ଯ୍ୟାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ବନ୍ୟା କାରଣରୁ ୨୩୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୧୦୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପୁନେ, ସୋଲାପୁର, ସତାରା, ସାଙ୍ଗଳି ଜିଲ୍ଲାର ୫୭୦୦୦
ହେକ୍ଟରର ଆଖୁ, ସୋୟାବିନ, ପନିପରିବା, ଧାନ, କପା ପରି ଫସଲ ନଷ୍ଟ ହୋଇଯାଇଛି । ଏହି ସ୍ଥାନ ମାନଙ୍କରେ ପାଖାପାଖି ୫୧୩
ପଶୁଙ୍କର ଜୀବନ ବି ଯାଇସାରିଲାଣି ।

ତେଲେଙ୍ଗାନା ରାଜଧାନୀ ହାଇଦରାବାଦର ଅଲି ନଗର ବାସିନ୍ଦା ମହମ୍ମଦ ଅବଦୁଲ ନାମ୍ନୀ ଜଣେ ବ୍ୟକ୍ତିଙ୍କ ପରିବାରର ୫ ଜଣଙ୍କ ଶବ ଠାବ ହୋଇଛି । ଦୁଇ ଦିନ ପୂର୍ବରୁ ରାଜ୍ୟରେ ପ୍ରବଳ ବର୍ଷା ପରେ ଜୋର ବେଗରେ ପାଣି ମାଡି ଆସିବାରୁ ପରିବାରର ପାଞ୍ଚ ଜଣ ଭାସି ଯାଇଥିବା ଜଣାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.