ବୃଦ୍ଧା ମହିଳାଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ଦମ୍ପତି, ଭିଡିଓ ଭାଇରାଲ ପରେ ଆକ୍ସନ ନେଲା ପୋଲିସ

ଏକ ଦମ୍ପତି ଏକାଠି ହୋଇ ନିଜ ଜେଜେମା’ଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କଳିଯୁଗର ଲୋକମାନେ ଅମଣିଷ ହୋଇ ଯାଇଛନ୍ତି । ନୃଶଂସତାର ସବୁ ସୀମାକୁ ପାର କରିଛି ଏ ମଣିଷ । ଦିନକୁ ଦିନ ହଜି ଯାଉଛି ମାନବିକତା । ଘରେ ଘରେ ବୁଢ଼ାବୁଢ଼ୀଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିବାର ଘଟଣା ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି । କିଏ ବୁଢ଼ା ବାପକୁ ପିଟି ପିଟି ମାରି ଦେଉଛି ତ କିଏ ନିଜ ମା’କୁ ଯନ୍ତ୍ରଣା ଦେଉଛି । ତେବେ ନିକଟରେ ଏକ ଦମ୍ପତି ନିଜ ଜେଜେମା’କୁ ଏମିତି ମାଡ଼ ମାରିଛନ୍ତି ଯେ ସେ ବୃଦ୍ଧାଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି । ତେବେ ଏ ଦମ୍ପତି ବୃଦ୍ଧାଙ୍କୁ ମାଡ଼ ମାରିବା ପଛର କାରଣ ଜାଣିଲେ ଆପଣଙ୍କ ଗୋଡ଼ ତଳୁ ମାଟି ଖସିଯିବ । ତେବେ ଆସନ୍ତୁ ଜାଣିବା କାହିଁକି ଏ ଦମ୍ପତି ଏମିତି କାଣ୍ଡ କରିଛନ୍ତି ।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏଭଳି ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି । ଏକ ଦମ୍ପତି ଏକାଠି ହୋଇ ନିଜ ଜେଜେମା’ଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବୁଧବାର ମାର୍ଚ୍ଚ ୨୭ ତାରିଖରେ ଏଭଳି ଏକ ହୃଦୟ ବିଦାରକ ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଜଣେ ସ୍ୱାମୀ ଏବଂ ତାଙ୍କ ସ୍ତ୍ରୀ ନିଜ ଜେଜେମା’ଙ୍କୁ ବାଡ଼ିରେ ଅତି ନିର୍ମମ ଭାବରେ ପିଟୁଥିବାର ନଜର ଆସିଥିଲା। ତେବେ ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି ।

ପୋଲିସ ଅଧିକାରୀ କହିଛନ୍ତି ଯେ ମହିଳା ଏବଂ ତାଙ୍କ ସ୍ୱାମୀ ବୃଦ୍ଧା ମହିଳାଙ୍କୁ ମାଡ ମାରିବାର କାରଣ ହେଉଛି ବୃଦ୍ଧା ଜଣଙ୍କ ଠିକ ଭାବେ ରୋଷେଇ କରି ନଥିଲେ । ଖବର ଅନୁଯାୟୀ ଅଭିଯୁକ୍ତ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ଭୋପାଳର ଜାହାଙ୍ଗୀରବାଦ୍ ଅଞ୍ଚଳରେ ରୁହନ୍ତି । ଆଖପାଖରେ ରହୁଥିବା ଲୋକମାନଙ୍କ କହିବା ଅନୁସାରେ ଏ ଦମ୍ପତି ସବୁବେଳେ ବୃଦ୍ଧା ମହିଳାଙ୍କୁ ମାଡ଼ ମାରୁଥିଲେ । ପ୍ରକାଶ ଥାଉକି ସ୍ୱାମୀ ସ୍ତ୍ରୀ ବୃଦ୍ଧାଙ୍କୁ ମାଡ଼ ମାରୁଥିବାବେଳେ ଜଣେ ପଡ଼ୋଶୀ ଲୁଚି ଲୁଚି ଝରକା ବାହାରୁ ଭିଡିଓ କରିଥିଲେ । ପରେ ଏହି ଭିଡିଓ ଭାଇରାଲ ହୋଇଥିଲା ।

ମହିଳା ଜଣଙ୍କ ଅତି ନିର୍ଦ୍ଦୟ ଭାବେ ବୃଦ୍ଧାଙ୍କୁ ମାଡ଼ ମାରିଥିଲେ । ଯନ୍ତ୍ରଣାରେ ଛଟପଟ ହୋଇ ବୃଦ୍ଧା ଚିଲେଇବା ସମୟରେ ବୃଦ୍ଧାଙ୍କ ନାତି ତାଙ୍କ ପାଟିକୁ ହାତରେ ବନ୍ଦ କରିଥିଲେ । ବୃଦ୍ଧାଙ୍କୁ ଅକଥନୀୟ ଯନ୍ତ୍ରଣା ଦେବା ସହ ବାଡ଼ିରେ ମନ ଇଚ୍ଛା ବାଡ଼େଇଥିଲେ ମହିଳା । ଦୀର୍ଘ ସମୟ ଧରି ଯନ୍ତ୍ରଣା ଭୋଗିବା ପରେ ବ୍ୟକ୍ତି ଜଣକ ବୃଦ୍ଧାଙ୍କୁ ଯିବାକୁ ଦେଇଥିଲେ, କିନ୍ତୁ ପୁଣି ଥରେ ମହିଳା ବୃଦ୍ଧାଙ୍କୁ ତଳେ ପକାଇ ବାଡ଼ିରେ ପିଟିବାକୁ ଲାଗିଥିଲେ । ତେବେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ତୁରନ୍ତ କାର୍ଯ୍ୟାନୃଷ୍ଠାନ ଗ୍ରହଣ କରିବା ସହ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.