ନଦୀ ମଝିରେ ଅଘଟଣ : ଡଙ୍ଗାରେ ଖାଦ୍ୟ ତିଆରି କରିବା ବେଳେ ଫାଟିଲା ସିଲିଣ୍ଡର, ଚାଲିଗଲା ୪ ଶ୍ରମିକଙ୍କ ଜୀବନ

ପାଟନା: ବିହାରର ପାଟନାରେ ଖାଇବା ବନାଇବା ସମୟରେ ସିଲିଣ୍ଡର ଫାଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ପାଟନାର ମନେରସ୍ଥିତ ରାମପୁର ପତିଲା ଘାଟରେ ଏକ ଡଙ୍ଗାରେ ଏହି ବିସ୍ଫୋରଣ ଘଟିଛି।


ସୂଚନା ମୁତାବକ, ଡଙ୍ଗାରେ ୨୦ ଜଣ ବସିଥିଲେ। ଏହି ଡଙ୍ଗାରେ ଅବୈଧ ଭାବେ ବାଲିର ଚୋରାଚାଲାଣ କରାଯାଉଥିଲା। ବାଲି ବସ୍ତାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ ଏହି ଡଙ୍ଗା ବ୍ୟବହାର କରାଯାଉଥିଲା। ଡଙ୍ଗାରେ ହିଁ ଶ୍ରମିକମାନେ ଗ୍ୟାସ୍‌ ଯୋଗେ ଖାଦ୍ୟ ତିଆରି କରୁଥିଲେ। ଗ୍ୟାସ୍‌ ଲିକ୍‌ ହୋଇ ଅଚାନକ ସିଲିଣ୍ଡର ବ୍ଲାଷ୍ଟ ହୋଇଯାଇଥିଲା। ନଦୀ ଭିତରେ ହିଁ ୪ ଶ୍ରମିକ ଏହି ନିଆଁରେ ପୋଡ଼ି ପ୍ରାଣ ହରାଇଛନ୍ତି। ମନେରର ଥାନାଧିକାରୀ ମଧ୍ୟ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଘଟଣାକୁ ସତ ବୋଲି କହିଛନ୍ତି। ଏହି ଦୁର୍ଘଟଣାରେ ଏକାଧିକ ଲୋକ ଗୁରୁତର ମଧ୍ୟ ହୋଇଛନ୍ତି। ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଚାନକ ଘଟିଥିବା ଏହି ବିସ୍ଫୋରଣର ଶବ୍ଦରେ ସ୍ଥାନୀୟ ଅଞ୍ଚଳ ଥରି ଉଠିଥିଲା। ଲୋକମାନେ କଣ ହେଲା ଭାବି ଡରିଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲ ନିଆଯାଇଛି।

Also Read: ଗୁରୁବାର ନା ଶୁକ୍ରବାର କେବେ ବାନ୍ଧିବେ ରାକ୍ଷୀ? ଜାଣନ୍ତୁ, ଜ୍ୟୋତିଷଙ୍କ ମତ