କାଲି ନୀତି ଆୟୋଗ ବୈଠକ: ବୃତ୍ତିଗତ କର ଆଦାୟ ପାଇଁ କ୍ଷମତା ପୌର ସଂସ୍ଥାକୁ ହସ୍ତାନ୍ତର ହୋଇପାରେ

କେନ୍ୟୁଜ୍(ବ୍ୟୁରୋ):  ଏଣିକି ବୃତ୍ତିଗତ କର ରାଜ୍ୟ ସରକାର ଆଦାୟ ନ କରି ପୌର ସଂସ୍ଥାଗୁଡ଼ିକୁ କ୍ଷମତା ହସ୍ତାନ୍ତର ହୋଇପାରେ। ଅର୍ବାନ ଲୋକାଲ ବଡ଼ିକୁ ଅଧିକ ଆର୍ଥିକ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇପାରନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବ । ରାଜ୍ୟ ସରକାର କିମ୍ବା ଅର୍ବାନ ଲୋକାଲ ବଡି ଲୋକଙ୍କ ଠାରୁ ପ୍ରଫେସନାଲ ଟ୍ୟାକ୍ସ ଆଦାୟ କରିବା ପାଇଁ ସମ୍ବିଧାନର ୨୭୬ ଧାରାରେ ବ୍ୟବସ୍ଥା ରହିଛି । ୨୧ଟି ରାଜ୍ୟ ସରକାର ଏହି ପ୍ରଫେସନାଲ ଟ୍ୟାକ୍ସ ଆଦାୟ କରୁଛନ୍ତି । କିନ୍ତୁ ଏ ଦାୟିତ୍ୱ ରାଜ୍ୟ ସରକାରଙ୍କ ବଦଳରେ ଅର୍ବାନ ଲୋକାଲ ବଡିକୁ ଦେବା ପାଇଁ ଯୋଜନା କରାଯାଉଛି। ଏହା ଉପରେ ଆସନ୍ତାକାଲି ନୀତି ଆୟୋଗ ବୈଠକରେ ଆଲୋଚନା ହୋଇପାରେ । ସେହିପରି ଡାଲି, ଖାଇବା ତେଲ ଦର ଅନେକ ସମୟରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କେବଳ ଗହମ କିମ୍ବା ଧାନ ଚାଷ ନକରି ତୈଳବୀଜ ଓ ଡାଲି ଜାତୀୟ ଫସଲ କିଭଳି ଚାଷୀ ଅଧିକରୁ ଅଧିକ କରିବେ ତାହା ଉପରେ ମଧ୍ୟ ଆଲୋଚନା ହେବ। ଅନ୍ୟପକ୍ଷରେ ନୀତି ଆୟୋଗ ବୈଠକରେ ଜାତୀୟ ଶିକ୍ଷା ନୀତି ପ୍ରସଙ୍ଗ ଉଠିବ । ସେପଟେ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଫୋକସ ଷ୍ଟେଟ ମାନ୍ୟତା ଦାବି ରଖିପାରନ୍ତି ।

ନିକଟରେ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ସେତେବେଳେ ମଧ୍ୟ ନବୀନ ଫୋକସ ରାଜ୍ୟ ମାନ୍ୟତା କଥା କହିଥିଲେ । ଏହାସହ ରେଳବାଇ, ଟେଲିକମ୍‌ ଓ ବ୍ୟାଙ୍କିଙ୍କ ଆଦି କ୍ଷେତ୍ରରେ ଗୁରୁତ୍ୱ ଦେବାପାଇଁ ଓଡ଼ିଶା ଦାବି କରିଆସୁଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ନୀତି ଆୟୋଗ ବୈଠକ ବସିବ। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ, ଉପରାଜ୍ୟପାଳ ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.