ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ମନୀଷ ସିସୋଦିଆ, ଆଜି ଅପରାହ୍ନରେ ହେବ ଶୁଣାଣି
ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇ ସୁପ୍ରିମକୋର୍ଟ ଗଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ମଦ ନୀତି ଦୁର୍ନୀତିରେ ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ପିଟିସନ୍ ଦାଖଲ କରିଛନ୍ତି । ପିଟିସନକୁ ଗ୍ରହଣ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡି. ଓ୍ଵାଇ ଚନ୍ଦ୍ରଚୂଡ଼ ।

ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇ ସୁପ୍ରିମକୋର୍ଟ ଗଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ମଦ ନୀତି ଦୁର୍ନୀତିରେ ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ପିଟିସନ୍ ଦାଖଲ କରିଛନ୍ତି । ପିଟିସନକୁ ଗ୍ରହଣ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡି. ଓ୍ଵାଇ ଚନ୍ଦ୍ରଚୂଡ଼ । ଆଜି ଅପରାହ୍ଣ ୩ଟା ୫୦ରେ ଶୁଣାଣି ହେବ ।
ସିସୋଦିଆଙ୍କ ପକ୍ଷରୁ ମାମଲା ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଂଘଭୀ । ତ୍ୱରିତ ଶୁଣାଣି କରିବାକୁ ଆବେଦନ ହୋଇଥିଲା । ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି । ମାର୍ଚ୍ଚ ୪ ତାରିଖ ଯାଏ ସିବିଆଇ ରିମାଣ୍ଡରେ ରହିଛନ୍ତି ସିସୋଦିଆ । ତାଙ୍କୁ ଜେରା କରାଯାଉଛି । ୮ ଘଣ୍ଟାର ଜେରା ପରେ ସିସୋଦିଆଙ୍କୁ ବାନ୍ଧିଥିଲା ସିବିଆଇ । ଏହାପରେ ୫ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ସଂସ୍ଥା ।
ଉଲ୍ଲେଖଯୋଗ୍ୟ, ରବିବାର ଦିନ ପ୍ରାୟ ୧୧ଟାରେ ଜେରାର ସମ୍ମୁଖୀନ ହେବାପାଇଁ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଥିଲେ ସିସୋଦିଆ । ଏହି ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ତାଙ୍କ ନାମ ନଥିଲେ ମଧ୍ୟ ପଚରାଉଚରା ପାଇଁ ସିବିଆଇ ରବିବାର ଦିନ ତାଙ୍କୁ ସମନ କରିଥିଲା। ଜେରାର ସମ୍ମୁଖୀନ ହେବା ପୂର୍ବରୁ ସିସୋଦିଆ କହିଥିଲେ ଯେ ୭/୮ ମାସ ଜେଲ୍ରେ ରହିବା ପାଇଁ ମୁଁ ପ୍ରସ୍ତୁତ ହୋଇ ରହିଛି। ଦିଲ୍ଲୀର ଉନ୍ନୟନ କାର୍ଯ୍ୟରେ ବ୍ୟାଘାତ ଆଣିବା ପାଇଁ ବିଜେପି ତାଙ୍କୁ ଗିରଫ କରିବାକୁ ଚାହୁଛି ବୋଲି ସେ ଅଭିଯୋଗ କରିଥିଲେ।
ଏହାପୂର୍ବରୁ ସିସୋଦିଆଙ୍କୁ ଫେବୃଆରୀ ୧୯ରେ ସିବିଆଇରେ ହାଜର ହେବା ପାଇଁ କୁହାଯାଇଥିଲା କିନ୍ତୁ ବଜେଟ୍ କାମ ଚାଲିଥିବା ଦର୍ଶାଇ ସେ ତାରିଖ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ। ସିବିଆଇ ଏହି ଅନୁରୋଧକୁ ରକ୍ଷା କରି ତାଙ୍କୁ ଫେବୃଆରୀ ୨୬ରେ ହାଜର ହେବାକୁ ଦ୍ୱିତୀୟ ନୋଟିସ୍ ଜାରି କରିଥିଲା।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨୪ ଫେବୃଆରୀରେ ଏକ ପ୍ରେସ୍ ମିଟ୍ରେ ଯୋଗ ଦେଇ ସିବିଆଇ ରବିବାର ମନୀଷ ସିସୋଦିଆଙ୍କୁ ଗିରଫ କରିବ ବୋଲି କହିଥିଲେ ।