ସ୍ପାଇସ୍‌ଜେଟକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କଲା ଡିଜିସିଏ, ୧୮ ଦିନ ମଧ୍ୟରେ ଏହା ୮ମ ଯାନ୍ତ୍ରିକ ତ୍ରୁଟି

ସ୍ପାଇସ୍‌ ଜେଟ୍‌କୁ ଦୁର୍ଦ୍ଦଶା। ସ୍ପାଇସ୍‌ଜେଟ୍‌ ବିମାନରେ ପୁଣି ତ୍ରୁଟି। ଆଜି ଚୀନ ଯାଉଥିବା ବେଳେ ସ୍ପାଇସ୍‌ଜେଟ୍‌ କାର୍ଗୋ ବିମାନର ରାଡାର ଫେଲ୍‌ ହୋଇଥିଲା। କାର୍ଗୋ ବିମାନର ପାଣିପାଗ ରାଡାର ସିଷ୍ଟମ ଫେଲ୍‌ ହେବାରୁ ତାହା କୋଲକାତା ଫେରିଆସିଛି। ସେହିଭଳି ଗତକାଲି ମଧ୍ୟ ପାକିସ୍ତାନ କରାଚୀରେ ସ୍ପାଇସ ଜେଟ୍‌ର ଏକ ବିମାନ ଜରୁରୀ ଅବତରଣ କରିଥିଲା। ସ୍ପାଇସ ଜେଟ B737 ଏୟାର କ୍ରାଫ୍‌ଟର ଦିଲ୍ଲୀରୁ ଦୁବାଇ ଯାଉଥିବା SG 11 ବିମାନ କରାଚୀରେ ଅବତରଣ କରିଥିଲା। ବାରମ୍ବାର ଏଭଳି ସମସ୍ୟା ଦେଖା ଦେଉଥିବାରୁ ଆଜି ସ୍ପାଇସ୍‌ଜେଟକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି ଡିଜିସିଏ।

ଗତକାଲି ବିମାନରେ ବୈଷୟିକ ତ୍ରୁଟି ଯୋଗଁ ଜରୁରୀ ଅବତରଣ କରିଥିଲା। ଗୁଜରାଟରୁ ମୁମ୍ବାଇ ଆସୁଥିବା ଆଉ ଏକ ବିମାନ ୩୨ ହଜାର ଫୁଟ୍‌ ଉପରେ ଥିବା ବେଳେ ଏହାର ଆଉଟର ଓ୍ଵିଣ୍ଡସିଲ୍‌ଡରେ ଫାଟ ସୃଷ୍ଟି ହୋଇଥିଲା।

ଗତ ୧୮ ଦିନ ମଧ୍ୟରେ ସ୍ପାଇସ୍‌ଜେଟରେ ଏହା ୮ମ ଯାନ୍ତ୍ରିକ ତ୍ରୁଟି। ଏଣୁ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ସ୍ପାଇସ୍‌ଜେଟକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି ଡିଜିସିଏ। ସୁରକ୍ଷିତ, ଦକ୍ଷ ଏବଂ ଭରସାଯୋଗ୍ୟ ସେବାରେ ବିଫଳ ହୋଇଥିବାରୁ ବିମାନ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି ହୋଇଛି। ନୋଟିସ୍‌ରେ କୁହାଯାଇଛି ଯେ ତ୍ରୁଟି ଦେଖାଯିବାରୁ ବିମାନ ଫେରି ଆସୁଛି ନ ହେଲେ ଜରୁରୀ ଅବତରଣ କରୁଛି। ଅସୁରକ୍ଷିତ ଭାବେ ବିମାନ ଅବତରଣ ହେଉଛି। ବିମାନର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉନାହିଁ। ଆଭ୍ୟନ୍ତରୀଣ ସୁରକ୍ଷାକୁ ଅଣଦେଖା କରାଯାଉଥିବା ନିରୀକ୍ଷଣ କରାଯାଉଛି। କାର୍ଯ୍ୟାନୁଷ୍ଠାନ ପୂର୍ବରୁ ୩ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ସ୍ପାଇସ୍‌ ଜେଟ୍‌କୁ କୁହାଯାଇଛି। ଯାତ୍ରୀଙ୍କ ସୁରକ୍ଷା ସର୍ବପ୍ରଥମ ବୋଲି କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ।

ଅନ୍ୟପଟେ ସ୍ପାଇସ ଜେଟ୍‌ ପକ୍ଷରୁ କୁହାଯାଇଛି ଯେ ୧୫ ବର୍ଷ ହେବ ସୁରକ୍ଷିତ ବିମାନ ଯାତ୍ରା କରାଇ ଆସୁଛି ସ୍ପାଇସ୍‌ ଜେଟ୍‌। ଦୈନନ୍ଦିନ କିଛି ନା କିଛି ଘଟଣା ଘଟେ। କିନ୍ତୁ ଏହାକୁ ଅଧିକ ହାଇଲାଇଟ୍‌ କରାଯାଉଛି। ଏହାର ଅର୍ଥ ଏୟାରଲାଇନ୍‌ସ ଅସୁରକ୍ଷିତ ନୁହେଁ ବୋଲି କହିଛନ୍ତି ସ୍ପାଇସ୍‌ ଜେଟ୍‌ ଏମ୍‌ଡି ଅଜୟ ସିଂ।

ସେହିଭଳି ଆଜି ବ୍ୟାଙ୍କକ୍‌-ଦିଲ୍ଲୀ ଭିଷ୍ଟାରା ବିମାନରେ ବି ଇଞ୍ଜିନ୍‌ ଫେଲ ହୋଇଛି। ଗତକାଲିର ଏହି ଘଟଣା ଆଜି ସାମ୍ନାକୁ ଆସିଛି। ଦିଲ୍ଲୀରେ ପହଞ୍ଚିବାର ଠିକ୍‌ ପୂର୍ବରୁ ଭିଷ୍ଟାରା ବିମାନ UK-122ର ଗୋଟିଏ ଇଞ୍ଜିନ୍‌ ଫେଲ୍‌ ହୋଇଯାଇଥିଲା। ମାତ୍ର ଏହା ସୁରକ୍ଷିତ ଭାବେ ଅବତରଣ କରିଥିଲା।

Also Read: ଏ ବାହାଘରରେ ସାକ୍ଷୀ ରହିଲା ତାଜମହଲ, ଘର ଲୋକେ ଦେଲେ ଆଶୀର୍ବାଦ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.