ଦୀପାବଳିରେ ବୋନସ୍ ନ ମିଳିବାରୁ ଲୁଟେରା ସାଜିଲେ କର୍ମଚାରୀ! ନିଜର ହିଁ କମ୍ପାନୀକୁ ଲୁଟିନେଲେ; ଜାଣନ୍ତୁ ପୂରା ଘଟଣା

କୁହାଯାଏ, ଦରକାର ପଡ଼ିଲେ ମଣିଷ କିଛି ବି କରିପାରେ। କିନ୍ତୁ ପରେ ଅନୁତାପ କରେ ଯେ ସେ କେତେ ବଡ଼ ଅପରାଧ କରିଛି। ଛତିଶଗଡ଼ର ରାୟପୁରରୁ ଠିକ୍ ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମନ ପସନ୍ଦର ଦରମା ଏବଂ ଦୀପାବଳି ବୋନସ୍ ନ ମିଳିବାରୁ ଜଣେ କର୍ମଚାରୀ ଲୁଟେରା ସାଜିଥିଲେ। ସେ କିଛି ସହକର୍ମୀଙ୍କ ସହ ମିଶି ନିଜର ହିଁ କମ୍ପାନୀରୁ ଟଙ୍କା ଉଠାଇ ନେଇଥିଲେ। ଧରା ପଡ଼ିଯିବା ଭୟରେ ଲୁଟ୍ର ମିଛ କାହାଣୀ ଗଢ଼ିଥିଲେ। କିନ୍ତୁ ସେମାନଙ୍କ ମିଛ ବେଶି ଦିନ ତିଷ୍ଠି ନ ଥିଲା। ପୋଲିସ ବହୁତ ଜଲ୍ଦି ଲୁଟ୍ର ରହସ୍ୟ ଉନ୍ମୋଚନ କରି ଲୁଟେରା କର୍ମଚାରୀମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।
ଘଟଣା ୧୮ ଅକ୍ଟୋବରର ବୋଲି ଜଣାପଡ଼ିଛି। ଏସ୍ପି ଗୋୟଲ ନାମକ କମ୍ପାନୀରେ କାମ କରୁଥିବା କିଛି କର୍ମଚାରୀ ଶ୍ରମିକମାନଙ୍କ ନଗଦ ବେତନକୁ ଏକ ବ୍ୟାଗରେ ଭର୍ତ୍ତି କରି ନେଇ ଯାଉଥିଲେ। ଏହି ସମୟରେ ରାସ୍ତାରେ କିଛି ଲୋକ ସେମାନଙ୍କୁ ଲୁଟ୍ କରିଥିଲେ। ଏ ନେଇ କମ୍ପାନୀର ଜଣେ କର୍ମଚାରୀ ପୋଲିସରେ ଅଭିଯୋଗ କରିଥିଲେ।
ତଦନ୍ତ ବେଳେ ପୋଲିସ ଯେତେବେଳେ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା, ତ ଏଥିରୁ ଜଣାପଡ଼ିଥିଲା କି, ଯେଉଁ ଲୋକମାନେ କମ୍ପାନୀର କର୍ମଚାରୀଙ୍କଠୁ ଟଙ୍କା ଲୁଟ୍ କରିଥିଲେ, ସେମାନେ ପରେ ଉକ୍ତ କମ୍ପାନୀର କର୍ମଚାରୀ ବିଦ୍ୟାଧରଙ୍କ ସହିତ ମଧ୍ୟ ଦେଖାଯାଇଥିଲେ। ଆଉ ଯେତେବେଳେ ବିଦ୍ୟାଧରଙ୍କୁ ଏ ବିଷୟରେ ପଚରାଉଚରା କରାଯାଇଥିଲା, ତ ସେ ଡରି ଯାଇଥିଲେ ଏବଂ ସବୁ ସତ ମାନିଥିଲେ। ସେ କହିଥିଲେ କି, ସେ ହିଁ ନିଜର କିଛି ସାଥୀଙ୍କୁ ଲୁଟ୍ ପାଇଁ ପଠାଇଥିଲେ।
ବିଦ୍ୟାଧର ପୋଲିସକୁ କହିଥିଲେ ଯେ ଦରମା କମ୍ ହେବା କାରଣରୁ କମ୍ପାନୀ ମ୍ୟାନେଜମେଣ୍ଟ ସହିତ ତାଙ୍କର ଅନେକ ଥର ପାଟିତୁଣ୍ଡ ହୋଇଛି। ଦୀପାବଳିରେ ବି ବୋନସ୍ ମିଳିନାହିଁ। ତେଣୁ ଟଙ୍କା କମାଇବା ପାଇଁ ସେ ଏଭଳି ଶର୍ଟକଟ ଉପାୟ ଆପଣାଇଥିଲେ। ତେବେ ପୋଲିସର କହିବା ହେଲା, ଘଟଣାରେ ସମ୍ପୃକ୍ତ ୨ କର୍ମଚାରୀ ଏବେ ବି ଫେରାର ଅଛନ୍ତି। ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି ଚାଲିଛି। ମୁଖ୍ୟ ଅଭିଯୁକ୍ତ ବିଦ୍ୟାଧରଙ୍କୁ ଗିରଫ କରି ପୋଲିସ ପଚରାଉଚରା କରୁଛି। ପୋଲିସ ସୂଚନା ମୁତାବକ, ଲୁଟ୍ ହୋଇଥିବା ବ୍ୟାଗ୍ରେ ମୋଟ ୧.୭୦ ଲକ୍ଷ ଟଙ୍କା ଥିଲା, ଯାହାକୁ କମ୍ପାନୀ ଶ୍ରମିକମାନଙ୍କୁ ଦେବାର ଥିଲା।