ବାୟୁ ପ୍ରଦୂଷଣ ଗମ୍ଭୀର! ଦିଲ୍ଲୀରେ ଟ୍ରକ୍‌ ଓ ଡିଜେଲ ଗାଡ଼ି ବ୍ୟାନ୍‌; ଘରୁ କାମ କରିବେ ୫୦ ପ୍ରତିଶତ କର୍ମଚାରୀ

ଦିଲ୍ଲୀର ବାୟୁରେ ପ୍ରଦୂଷଣ ସ୍ତର ଗମ୍ଭୀର ଶ୍ରେଣୀରେ ପହଞ୍ଚିଛି। ଏଠାରେ ଅନେକ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୫୦୦ ଅତିକ୍ରମ କରିଛି। ଏହାରି ଭିତରେ ଦିଲ୍ଲୀର ଆପ୍‌ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ମୁତାବକ, ସହରରେ ଟ୍ରକ୍ ଏବଂ ଡିଜେଲ ଚାଳିତ ଯାନବାହାନଗୁଡ଼ିକର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବ। Eastern Peripheral ଏକ୍ସପ୍ରେସୱେରେ ଗାଡ଼ିଗୁଡ଼ିକୁ ଡାଇଭର୍ଟ କରାଯିବ। ଏହା ବ୍ୟତୀତ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ। ଏ ନେଇ ବେସରକାରୀ ଅଫିସ୍‌ଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯିବ।

ଦିଲ୍ଲୀ ସରକାରଙ୍କ ମୁତାବକ, ଟ୍ରାନ୍ସପୋର୍ଟ, ଟ୍ରାଫିକ ପୋଲିସ ଏବଂ ଡିପିସିସିରୁ ଦୁଇଜଣ ଲେଖାଏ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି, ଯେଉଁମାନେ ଏହାକୁ ଲାଗୁ କରାଇବେ। ହରିୟାଣା ଏବଂ ଉତ୍ତର ପ୍ରଦେଶର ମନ୍ତ୍ରୀମାନଙ୍କୁ ଚିଠି ଲେଖାଯିବ କି, Eastern Peripheral ଏକ୍ସପ୍ରେସୱେରୁ ଗାଡ଼ିଗୁଡ଼ିକୁ ପ୍ରଥମରୁ ହିଁ ଡାଇଭର୍ଟ କରାଯାଉ, ଯଦ୍ଦ୍ଵାରା ଜାମ୍‌ ଭଳି ପରିସ୍ଥିତିରୁ ଛୁଟ୍‌କାରା ମିଳି ପାରିବ। ସେପଟେ ଦିଲ୍ଲୀ ଭିତରେ ୫୦୦ ଘରୋଇ ପରିବେଶ ବସ୍ ସେବା ଆରମ୍ଭ କରିବା ପାଇଁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଦିଲ୍ଲୀ ସରକାରଙ୍କ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ। ଘରୋଇ ଅଫିସ୍‌ଗୁଡ଼ିକୁ ମଧ୍ୟ ଏହାକୁ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଦିଲ୍ଲୀରେ ଆସନ୍ତାକାଲିଠାରୁ ସମସ୍ତ ପ୍ରାଇମେରୀ ସ୍କୁଲ ବନ୍ଦ ରହିବ। ଏଠାରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି କେଜରିଓ୍ଵାଲ ସରକାର ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ୫ମଠାରୁ ଉପର ଶ୍ରେଣୀଗୁଡ଼ିକର ଆଉଟ୍‌ଡୋର ଆକ୍ଟିଭିଟିଜ୍‌ ବନ୍ଦ ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। କେଜରିଓ୍ଵାଲ କହିଛନ୍ତି କି, ଦିଲ୍ଲୀରେ ଅଡ୍‌ ଇଭିନ୍‌ ଲାଗୁ କରିବା ଉପରେ ମଧ୍ୟ ବିଚାର କରାଯାଉଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଦୂଷଣ କେବଳ ଦିଲ୍ଲୀର ସମସ୍ୟା ନୁହେଁ, ବରଂ ହରିୟାଣା, ୟୁପି ସମେତ ପୂରା ଉତ୍ତର ଭାରତରେ ବାୟୁର ଗୁଣାବତ୍ତା ଖରାପ ରହିଛି। ଏହା ଜଣେ ଆଉ ଜଣଙ୍କ ଉପରେ ଅଭିଯୋଗ ଲଗାଇବାର ବେଳ ନୁହେଁ। କେନ୍ଦ୍ରକୁ ଆଗକୁ ଆସି ପଦକ୍ଷେପ ଉଠାଇବାକୁ ହେବ, ଯେଉଁଥିରେ ଉତ୍ତର ଭାରତକୁ ଏଥିରୁ ରକ୍ଷା କରାଯାଇ ପାରିବ। କେନ୍ଦ୍ର ସରକାର ଏହି ସମସ୍ୟାର ସମାଧାନର ନେତୃତ୍ୱ ନିଅନ୍ତୁ। ଏହି ପ୍ରସଙ୍ଗ ଉପରେ ଏକ ମିଳିବ ବୈଠକ ହେବା ଉଚିତ୍‌।

ସୂଚନାଥାଉ କି, ଦିଲ୍ଲୀ-ଏନ୍‌ସିଆରରେ ପ୍ରଦୂଷଣ ବୃଦ୍ଧିକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ Grap Stage 3ର ନିୟମ ଲାଗୁ ହୋଇଯାଇଛି। ଏହା ଅଧୀନରେ ଦିଲ୍ଲୀରେ କୋଠାବାଡ଼ି ସମେତ ବିଭିନ୍ନ ନିର୍ମାଣ କାର୍ଯ୍ୟ ବନ୍ଦ କରି ଦିଆଯାଇଛି। କନ୍‌ଷ୍ଟ୍ରକ୍ସନ କାର୍ଯ୍ୟ ବନ୍ଦ ହେବା ଦ୍ୱାରା ହଜାର ହଜାର ଲୋକ ହଠାତ୍‌ ବେରୋଜଗାର ହୋଇଯାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ନିର୍ମାଣ ସ୍ଥଳରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ୫୦୦୦ ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.