ଜଣାଶୁଣା ମଡେଲଙ୍କୁ ନୃଶଂସ ହତ୍ୟା; ଫ୍ରିଜ୍ ଭିତରେ ପାତ୍ରରୁ ମିଳିଲା କଟା ଗୋଡ଼! ସୁପ୍ କରି ପିଉଥିଲେ ଶାଶୁଘର ଲୋକ
ହଂକଂର ଜଣାଶୁଣା ମଡେଲଙ୍କୁ ନୃଶଂସ ଭାବରେ ହତ୍ୟା କରାଯାଇଛି। ହତ୍ୟା ପରେ ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଫ୍ରିଜ୍ ଭିତରେ ରଖାଯାଇଥିଲା। ଏହି ମାମଲାରେ ପୋଲିସ ତାଙ୍କ ପୂର୍ବତନ ସ୍ୱାମୀଙ୍କ ସମେତ ଶାଶୁଘରର ୫ ଜଣଙ୍କୁ ଗିରଫ କରିଛି।

ସୋସିଆଲ ମିଡିଆରେ ଜଣେ ମଡେଲଙ୍କ ଫଟୋ ଓ ଭିଡିଓ ଖୁବ୍ ଭାଇରାଲ ହେଉଛି। ମଡେଲଙ୍କ ସହିତ ଯାହା କିଛି ଘଟିଛି, ତାହା ଜାଣିଲେ ହୁଏତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମଡେଲଙ୍କ ନାମ ଏବି ଚୋଇ। ଖବର ରହିଛି ଯେ ଏବି ଚୋଇଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରାଯାଇଛି। ହତ୍ୟା ପରେ ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଦିଆଯାଇଥିଲା। ଫ୍ରିଜ୍ ଭିତରୁ ପୋଲିସକୁ କଟା ଗୋଡ଼ ମିଳିଥିବା ବେଳେ ଶରୀରର ବାକି ଅଂଶଗୁଡ଼ିକ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ।
ଘଟଣାଟି ହଂକଂର। ଏ ନେଇ ପୋଲିସ ଚୋଇଙ୍କ ପୂର୍ବତନ ସ୍ୱାମୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ମୁତାବକ, ଫ୍ରିଜ୍ ଭିତରେ ଥିବା ସୁପ୍ ପାତ୍ରରୁ ଚୋଇଙ୍କ ଶରୀରର ଅବଶେଷ ମିଳିଛି।
ପୋଲିସ ବୟାନ ଜାରି କରି କହିଛି ଯେ ହଂକଂର ମଡେଲ ଏବି ଚୋଇଙ୍କ ହତ୍ୟା ମାମଲାରେ ତାଙ୍କ ପୂର୍ବତନ ଶ୍ୱଶୁର ଏବଂ ଶ୍ୱଶୁରଙ୍କ ବଡ଼ ଭାଇଙ୍କ ବିରୋଧରେ ଅଭିଯୋଗ ରହିଛି। ଏଥିସହ ପୂର୍ବତନ ଶାଶୁଙ୍କ ବିରୋଧରେ ନ୍ୟାୟିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ନେଇ ଅଭିଯୋଗ ଲାଗିଛି।
ପୋଲିସ ଅଧିକାରୀମାନେ ମଡେଲଙ୍କର ୨୮ ବର୍ଷୀୟ ପୂର୍ବତନ ସ୍ୱାମୀଙ୍କୁ ଶନିବାର ଗିରଫ କରିଛନ୍ତି। ତେବେ ମଡେଲ ଜଣକ ଅନେକ ଦିନ ଧରି ନିଖୋଜ ଥିଲେ। ତାଙ୍କର କୌଣସି ଖୋଜ୍ ଖବର ନ ଥିଲା।
ପୋଲିସ କହିଛି, ହଂକଂର ତାଇପୋ ଗାଁରେ ଏକ ଘରର ଫ୍ରିଜ୍ ଭିତରୁ ଜଣେ ମହିଳାଙ୍କ କଟା ଗୋଡ଼ ମିଳିଥିଲା। ଏହି ଗୋଡ଼ କାହାର ବୋଲି ପୋଲିସ ସନ୍ଦେହରେ ରହିଥିଲା। ଯେତେବେଳେ ଘର ଭିତର ଯାଞ୍ଚ କରାଯାଇଥିଲା, ତ ଘରେ ଚୋଇଙ୍କ ପରିଚୟ ପତ୍ର, କ୍ରେଡିଟ୍ କାର୍ଡ ଏବଂ ଅନ୍ୟାନ୍ୟ ଜିନିଷପତ୍ର ମିଳିଥିଲା। ଏଥିରୁ ପୋଲିସ ସ୍ପଷ୍ଟ ହୋଇଥିଲା ଯେ ଫ୍ରିଜ୍ରୁ ମିଳିଥିବା କଟା ଗୋଡ଼ ଚୋଇଙ୍କର।
କିନ୍ତୁ ଘଟଣାସ୍ଥଳରୁ ମଡେଲଙ୍କ ମୁଣ୍ଡ, ହାତ ଏବଂ ଅନ୍ୟାନ୍ୟ ଅଙ୍ଗ ମିଳିନାହିଁ। ସୂଚନା ମୁତାବକ, ଚୋଇଙ୍କର ନିଜ ପୂର୍ବତନ ସ୍ୱାମୀ ଏବଂ ତାଙ୍କ ପରିବାର ସହିତ ବିତ୍ତୀୟ ବିବାଦ ଚାଲିଥିଲା।