ଶମ୍ଭୁ ସୀମାରେ ଆନ୍ଦୋଳନ ଭିତରେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ, ପ୍ରବଳ ଥଣ୍ଡା ଅନୁଭବ ହେବା ପରେ ଆସିଲା ହୃଦଘାତ

ପଞ୍ଜାବ ଏବଂ ହରିୟାଣାର ଶମ୍ଭୁ ସୀମାରେ କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଜଣେ ବୃଦ୍ଧ ଚାଷୀ ପ୍ରାଣ ହରାଇଛନ୍ତି । ଶୁକ୍ରବାର ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଛି ।

ପଞ୍ଜାବ ଏବଂ ହରିୟାଣାର ଶମ୍ଭୁ ସୀମାରେ କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଜଣେ ବୃଦ୍ଧ ଚାଷୀ ପ୍ରାଣ ହରାଇଛନ୍ତି । ଶୁକ୍ରବାର ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଛି । ମୃତ ଚାଷୀ ହେଲେ, ୭୮ ବର୍ଷୀୟ ଜ୍ଞାନ ସିଂ । ସେ ପଞ୍ଜାବର ଗୁରୁଦାସପୁରର ବାସିନ୍ଦା ଥିଲେ । ସୂଚନା ରହିଛି, ଜ୍ଞାନ ସିଂ ରାତିରେ ପ୍ରବଳ ଥଣ୍ଡା ଅନୁଭବ କରିଥିଲେ, ଯାହାପରେ ତାଙ୍କୁ ହୃଦଘାତ ଆସିଥିଲା ।

ରିପୋର୍ଟ ମୁତାବକ, ଜ୍ଞାନ ସିଂଙ୍କୁ ଭୋର୍‌ ୪ଟାରେ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା, ସେଠାରୁ ତାଙ୍କୁ ପଟିଆଲା ସରକାରୀ ରାଜିନ୍ଦ୍ର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଜରୁରୀକାଳୀନ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା । ଦେଢ଼ ଘଣ୍ଟା ଧରି ଚିକିତ୍ସା ପରେ ସକାଳ ୬ଟାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପଞ୍ଜାବ-ହରିୟାଣା ସୀମାରେ ଚାଲିଥିବା କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଏହା ହେଉଛି ପ୍ରଥମ ଚାଷୀ ମୃତ୍ୟୁ । ପଟିଆଲା ଡେପୁଟି କମିଶନର ଶୌକତ ଅହମ୍ମଦ ମଧ୍ୟ ଏହି ଚାଷୀ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଡାକ୍ତରୀ ରେକର୍ଡ ଅନୁସାରେ, ହୃଦଘାତରେ ଚାଷୀଙ୍କ ମୃତ୍ୟୁ ହୋଇଛି । ଜ୍ଞାନ ସିଂ କିସାନ ମଜଦୁର ମୋର୍ଚ୍ଚାର ଏକ ସଙ୍ଗଠନ କିସାନ ମଜଦୁର ସଂଘର୍ଷ ସମିତିର ସଦସ୍ୟ ଥିଲେ ।

ରିପୋର୍ଟରୁ ଜଣାପଡ଼ିଛି, ଜ୍ଞାନ ସିଂ ଅନ୍ୟ ପାଞ୍ଚ ଜଣ ଚାଷୀଙ୍କ ସହ ଟ୍ରଲିରେ ଶୋଇଥିଲେ । ଏହି ଲୋକମାନେ ଶମ୍ଭୁ ସୀମା ନିକଟରେ ଯେଉଁଠି ବିରୋଧ ଚାଲିଛି, ସେଠାରେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.