କରୋନାରେ ହୋଇଗଲା ବାପାଙ୍କ ମୃତ୍ୟୁ, ଦୁଃଖରେ ଭାଙ୍ଗିପଡ଼ି ଜଳନ୍ତା ଚିତା ଆଗକୁ ଡେଇଁ ପଡ଼ିଲା ଝିଅ

ରାଜସ୍ଥାନର ବାରମେର ଜିଲ୍ଲାରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଏଠାରେ କରୋନାରେ ବାପାଙ୍କ ମୃତ୍ୟୁ ହୋଇଯିବାରୁ ଝିଅ ଦୁଃଖରେ ଭାଙ୍ଗିପଡ଼ି ଜଳନ୍ତା ଚିତା ଆଗକୁ ଡେଇଁ ପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଝିଅକୁ ଉଦ୍ଧାର କରି ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲା। କିନ୍ତୁ ଶରୀରର ଅଧାରୁ ଅଧିକ ଭାଗ ଜଳି ଯାଇଥିବାରୁ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା। ସେଠାରୁ ତାଙ୍କୁ ଯୋଧପୁର ପଠାଇ ଦିଆଯାଇଛି।

ସୂଚନା ମୁତାବକ, ୭୩ ବର୍ଷୀୟ ଦାମୋଦର ଦାସ ଶାରଦାଙ୍କ ମୃତ୍ୟୁ ମଙ୍ଗଳବାର ସକାଳେ କରୋନା ଯୋଗୁ ହୋଇଥିଲା। ତାଙ୍କୁ ଗତ ରବିବାର ବାରମେର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରୋଗୀଙ୍କ ମୃତ୍ୟ ପରେ ହସ୍ପିଟାଲ କର୍ତ୍ତୃପକ୍ଷ କୋଭିଡ ନିୟମ ପାଳନ କରି ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ପୋଲିସର ସୂଚନା ମୁତାବକ, ମୃତକଙ୍କର ୩ ଝିଅ ଅଛନ୍ତି। ତାଙ୍କର ସାନ ଝିଅ ଚନ୍ଦ୍ରକଳା(୩୪) ଅନ୍ତିମ ସଂସ୍କାର ବେଳେ ଶ୍ମଶାନ ଘାଟକୁ ଯିବା ପାଇଁ ଜିଦ ଧରିଥିଲେ। କାହିଁକି ନା, ତାଙ୍କ ପରିବାରରେ କେହି ପୁରୁଷ ସଦସ୍ୟ ନ ଥିଲେ। ହେଲେ ଅନ୍ତିମ ସଂସ୍କାର ସମୟରେ ସେ ହଠାତ ବାପାଙ୍କ ଜଳନ୍ତା ଚିତା ଆଗକୁ ଡେଇଁ ପଡ଼ିଥିଲେ। ଏଥିରେ ଚନ୍ଦ୍ରକଳାଙ୍କ ଶରୀର ପାଖାପାଖି ୭୦ ଭାଗ ଜଳି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.