ପାଟନା: ଦୀପାବଳି ରାତିରେ ଜିଅନ୍ତା ଜଳିଗଲେ ୨ ଶ୍ରମିକ, ଚପଲ କାରଖାନାରେ ଲାଗିଲା ଭୟଙ୍କର ନିଆଁ
ଦୀପାବଳି ରାତିରେ ବିହାରର ପାଟନାରେ ଏକ ଚପଲ କାରଖାନାରେ ଅଗ୍ନିକାଣ୍ଡ ଘଟି ୨ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କାରଖାନାର ପ୍ରଥମ ମହଲାର ଏକ କୋଠରୀରେ ଶୋଇଥିବା ବେଳେ ଶ୍ରମିକଦ୍ୱୟ ଜଳିଯାଇଥିଲେ।

ଦୀପାବଳି ରାତିରେ ବିହାରର ପାଟନାରେ ଏକ ଚପଲ କାରଖାନାରେ ଅଗ୍ନିକାଣ୍ଡ ଘଟି ୨ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କାରଖାନାର ପ୍ରଥମ ମହଲାର ଏକ କୋଠରୀରେ ଶୋଇଥିବା ବେଳେ ଶ୍ରମିକଦ୍ୱୟ ଜଳିଯାଇଥିଲେ। ମୃତକମାନେ ହେଲେ, ଜମୁଇ ନିବାସୀ ମୁକେଶ ଦାସ ଓ ମହାଦେବ ଦାସ। ଅଗ୍ନିକାଣ୍ଡର ଖବର ଶୁଣିବା ମାତ୍ରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ିଥିଲେ। ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା।
ଘଟଣା ଘଟିଛି ପାଟନାର ଖାଜେକଲା ଥାନା ଅଧୀନ ହାଜରୀ ମୋହାଲାସ୍ଥିତ ଏକ ଚପଲ କାରଖାନାରେ। ଦୀପାବଳି ରାତି ପ୍ରାୟ ୧ଟା ସମୟରେ ଏହି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ସ୍ଥାନୀୟ ଲୋକେ ଏ ନେଇ ତୁରନ୍ତ ପୋଲିସକୁ ଜଣାଇଥିଲେ। ପୋଲିସ ସହ ଅଗ୍ନିଶମ ବାହିନୀ ପହଞ୍ଚି ବହୁ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ।
ତେବେ ରାସ୍ତା ସଂକୀର୍ଣ୍ଣ ହେତୁ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ପାରି ନ ଥିଲା। ଆଠଟି ପାଇପ୍ ସଂଯୋଗ କରି ଅଗ୍ନିଶମ ବାହିନୀ ନିଆଁକୁ ଲିଭାଇଥିଲେ। ମୃତକଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ କାରଖାନାରେ ବାଣରୁ ଏହି ଅଗ୍ନିକାଣ୍ଡ ଘଟିନାହିଁ, ବରଂ ସର୍ଟ ସର୍କିଟରୁ ହୋଇଛି। ମୃତ ମୁକେଶ ଦାସଙ୍କର ୩ ସନ୍ତାନ ଅଛନ୍ତି। ମୁକେଶ ଓ ତାଙ୍କ ପରିବାରର ସଦସ୍ୟ ମହାଦେବ ଗତ ୫ ବର୍ଷ ହେବ ଏହି କାରଖାନାରେ କାମ କରୁଥିଲେ।
ପୋଲିସ କହିଛି ଯେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଦୀପାବଳି ରାତିରେ ପୂଜା କରିବା ପରେ ଦୀପ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି, ନଚେତ୍ ଅନ୍ୟ ଏକ କାରଣ ସର୍ଟ ସର୍କିଟ ହୋଇପାରେ।