ବିହାର: ବର ଆସିବା ପୂର୍ବରୁ ପାର୍ଲରରେ ସଜ ହେଉଥିଲା କନ୍ୟା, ହଠାତ୍ ପହଞ୍ଚି ଗୁଳି ମାରିଲେ ପୋଲିସ କନଷ୍ଟେବଳ
ପ୍ରେମରେ ଲୋକେ ଏତେ ମାତ୍ରାରେ ଅନ୍ଧ ହୋଇଯାଆନ୍ତି ଯେ ଠିକ୍, ଭୁଲ୍ କ’ଣ ସେମାନେ ବୁଝି ପାରନ୍ତି ନାହିଁ। ନିଜର ହିତାହିତ ଜ୍ଞାନ ଭୁଲି ଯାଆନ୍ତି ଏମାନେ।
ପ୍ରେମରେ ଲୋକେ ଏତେ ମାତ୍ରାରେ ଅନ୍ଧ ହୋଇଯାଆନ୍ତି ଯେ ଠିକ୍, ଭୁଲ୍ କ’ଣ ସେମାନେ ବୁଝି ପାରନ୍ତି ନାହିଁ। ନିଜର ହିତାହିତ ଜ୍ଞାନ ଭୁଲି ଯାଆନ୍ତି ଏମାନେ। ଏଭଳି ଏକ ପ୍ରେମ ସମ୍ବନ୍ଧକୁ ନେଇ ବିହାରରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ଘଟଣା ଘଟିଛି ବିହାରର ମୁଙ୍ଗେର୍ରେ। ଏଠାରେ ପ୍ରେମିକାର ଅନ୍ୟତ୍ର ବିବାହ ସ୍ଥିର ହୋଇଯିବାରୁ ପ୍ରେମିକ ଘଟାଇଛି ଜଘନ୍ୟ କାଣ୍ଡ।
କ୍ରୋଧିତ ପ୍ରେମିକ ଗୁଳି କରି ପ୍ରେମିକାକୁ ଲହୁଲୁହାଣ କରି ପକାଇଛି। ଅଭିଯୁକ୍ତ ବିହାର ପୋଲିସର ଜଣେ କନଷ୍ଟେବଳ ବୋଲି ଜଣାପଡ଼ିଛି। ସେପଟେ ଗୁଳିମାଡ଼ରେ ଯୁବତୀ ଗୁରୁତର ଆହତ ହୋଇଛନ୍ତି।
ପୋଲିସ ସୂଚନା ଅନୁସାରେ, କାସିମ ବଜାର ଥାନା ଅଞ୍ଚଳରେ ଥିବା ଏକ ବ୍ୟୁଟି ପାର୍ଲରରେ ରବିବାର ସନ୍ଧ୍ୟାରେ ଜଣେ ଯୁବତୀ ନିଜ ବିବାହ ପୂର୍ବରୁ ପ୍ରସ୍ତୁତ ହେବାକୁ ଆସିଥିଲେ। ସେହି ସମୟରେ ସେଠାରେ ଅମନ କୁମାର ନାମକ ପୋଲିସ କନଷ୍ଟେବଳ ପହଞ୍ଚି ହଠାତ୍ ଯୁବତୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣା ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆହତ ଯୁବତୀଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି।
କୁହାଯାଉଛି ଯେ ଅଭିଯୁକ୍ତ ଜଣେ ପୋଲିସ କନଷ୍ଟେବଳ ଏବଂ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଯୁବତୀଙ୍କର ଅନ୍ୟତ୍ର ବିବାହ ସ୍ଥିର ହେବା ଦ୍ୱାରା ସେ ରାଗି ଯାଇଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଗୁଳି ଚଳାଇବା ପରେ କନଷ୍ଟେବଳ ଅଣ୍ଟାରେ ପିସ୍ତଲ ରଖୁଥିବା ବେଳେ ତାହା ତଳେ ପଡ଼ିଯାଇଥିଲା। ଏହି ସମୟରେ ପାର୍ଲର କର୍ମଚାରୀମାନେ ତାଙ୍କୁ ଧରି ପକାଇଥିଲେ, କିନ୍ତୁ କୌଣସି ମତେ ସେ ଖସି ପଳାଇ ଯାଇଥିଲେ।