ପାକିସ୍ତାନରେ ପୁଣି ୩୦ ଟଙ୍କା ବଢ଼ିଲା ତେଲ ଦର: ଇମ୍ରାନ୍‌ କହିଲେ-ଆମେରିକାର ଗୋଲାମ୍‌, ଭାରତଠୁ କିଛି ଶିଖ

ପାକିସ୍ତାନରେ ପୁଣି ଥରେ ୩୦ ଟଙ୍କା ବଢ଼ିଲା ତେଲ ଦର। ତୈଳ ଦରରେ ଏହି ବୃଦ୍ଧି ପରେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରାଗିଯାଇଛନ୍ତି। ଇମ୍ରାନ୍‌ ଖାନ୍‌ କହିଛନ୍ତି, ପାକିସ୍ତାନ ସରକାର ରୁଷ୍‌ ଠାରୁ ଶସ୍ତାରେ ତେଲ କିଣିବାକୁ ଇଚ୍ଛୁକ ନୁହଁନ୍ତି। କାରଣ ଗୋଲାମ୍‌ ନେତା ଆମେରିକାକୁ ସେ ଭୟ କରୁଛନ୍ତି। ସେ କହିଛନ୍ତି, ଆମ ସରକାର ତେଲ ଦାମ୍‌କୁ ୩୦ ଟଙ୍କା ବଢ଼ାଇଛନ୍ତି। ସେପଟେ ଭାରତରେ ତେଲ ଦାମ୍‌ ୨୫ ଟଙ୍କା କମ୍‌ କରାଯାଇଛି। ଏହା ଏକ ସ୍ୱାଧୀନ ଓ ଗୋଲାମ୍‌ ଦେଶ ଭିତରର ପାର୍ଥକ୍ୟକୁ ଦର୍ଶାଉଛି।

ଶାଂଗଲାରେ ଏକ ର‍୍ୟାଲିକୁ ସମ୍ବୋଧିତ କରିବା ଅବସରରେ ଇମ୍ରାନ୍‌ ଖାନ୍‌ ଅଭିଯୋଗ କରିଛନ୍ତି, ପାକିସ୍ତାନ ସରକାରଙ୍କ ଗୋଲାମ୍‌ ନେତୃତ୍ୱ ରୁଷ୍‌ରୁ ସବ୍‌ସିଡିରେ ତେଲ କିଣିବାକୁ ଚାହୁଁନାହାନ୍ତି। କାରଣ ଆମେରିକା ତାଙ୍କୁ ଏମିତି କରିବାକୁ ଅନୁମତି ଦେଉନାହିଁ। ଏହାର କାରଣ ହେଉଛି, ଆମେରିକା ଓ ରୁଷ୍‌ ମଧ୍ୟରେ ଭଲ ସମ୍ପର୍କ ନାହିଁ। ସେ କହିଛନ୍ତି- ଆମ ସରକାର ପେଟ୍ରୋଲ ଦାମ୍‌କୁ ୩୦ ଟଙ୍କା ବଢ଼ାଇ ଥିବା ବେଳେ ଭାରତ ସରକାର କିନ୍ତୁ ନିକଟରେ ତେଲ ଦର ୨୫ ଟଙ୍କା କମାଇଛନ୍ତି।

ପୂର୍ବ ପାକିସ୍ତାନୀ ପ୍ରଧାନମନ୍ତ୍ରୀ କହିଛନ୍ତି- ଭାରତ ଏକ ସ୍ୱାଧୀନ ଦେଶ। ସେ ବାହାର ହସ୍ତକ୍ଷେପରୁ ମୁକ୍ତ ବିଦେଶ ନୀତି ପାଳନ କରୁଛି ଓ ରୁଷ୍‌ରୁ ଶସ୍ତାରେ ତେଲ କିଣୁଛନ୍ତି। ସେ କହିଛନ୍ତି- ନୂଆ ସରକାର ଆସିବା ପରଠାରୁ ହିଁ ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବଢ଼ିବାରେ ଲାଗିଛି। ଏକ ଦେଶ ଯିଏ ନିଜ ଭୟକୁ କାବୁ କରିପାରୁନାହିଁ ସେ ଗୋଲାମ୍‌ ପାଲଟିଯାଉଛି। ମୁଁ ଏହି ଦେଶର ପ୍ରକୃତ ସ୍ୱାଧୀନତା ପାଇଁ ଓକିଲାତି କରୁଛି ବୋଲି କହିଛନ୍ତି ଇମ୍ରାନ୍‌ ଖାନ୍‌।

ଏହା ପୂର୍ବରୁ ଇମ୍ରାନ୍‌ ଖାନ୍‌ ଦାବି କରିଥିଲେ ଯେ ପାକିସ୍ତାନ ତିନି ଖଣ୍ଡ ହୋଇପାରେ। ଇମ୍ରାନ୍‌ଙ୍କର ଏହି ବୟାନ ଉପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହାବାଜ ସରିଫ ଗୁରୁବାର କହିଥିଲେ ଯେ ଇମ୍ରାନ୍‌ ଦେଶ ବିରୋଧରେ ଖୋଲା ଖୋଲି ଧମକ ଦେବା ଆରମ୍ଭ କରିଛନ୍ତି। ପାକିସ୍ତାନ ତହରିକ-ଏ-ଇନ୍‌ସାଫ୍‌ର ଅଧ୍ୟକ୍ଷ ଇମ୍ରାନ୍‌ ଚେତାବନୀ ଦେଇଥିଲେ ଯେ ଯଦି ଠିକ୍‌ ନିଷ୍ପତ୍ତି ନିଆ ନଯାଏ ତେବେ ଦେଶ ତିନି ଭାଗରେ ବିଭାଜିତ ହୋଇଯିବ।

Also Read: ଏବେ ପୋଲିସ କୁକୁରଙ୍କୁ ଟ୍ରେନିଂ ଦେବେ ମହିଳା, ପ୍ରଥମ ଥର ପାଇଁ ଆଇଟିବିପିରେ ନିଯୁକ୍ତ ହେଲେ ଲେଡି ଡଗ୍‌ ହ୍ୟାଣ୍ଡେଲର୍ସ