ଘରେ ପଶି ହତ୍ୟା କଲା ପରେ ମୃତଦେହକୁ ଟାଣିଆଣି ଅଗଣାରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ୬ ମାସର ଶିଶୁ ସମେତ ୪ ମୃତ

ପରିବାରର ୪ ଜଣଙ୍କୁ ନୃଶଂସ ଭାବେ ହତ୍ୟା । ରାତିରେ ଶୋଇଥିବା ବେଳେ ଘରେ ପଶି ହତ୍ୟା କରିବା ପରେ ଅଗଣାକୁ ଟାଣିଆଣି ପୋଡିଦେଲେ । ରାଜସ୍ଥାନ ଯୋଧପୁରରେ ଏଭଳି ହତ୍ୟାକାଣ୍ଡ ହୋଇଛି ।

ରାଜସ୍ଥାନ ଯୋଧପୁରରେ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । କିଛି ଦୁର୍ବୃତ୍ତ ଏକ ପରିବାରର ୪ ସଦସ୍ୟଙ୍କୁ ହତ୍ୟା କରିବା ସହ ଘର ଅଗଣାରେ ସେମାନଙ୍କୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୬ ମାସର ଶିଶୁ କନ୍ୟା ସାମିଲ ଥିବା ଜଣାପଡିଛି । ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ରହିଛି ।

ଖବର ମୁତାବକ, ଗତକାଲି ବିଳମ୍ବିତ ରାତିରେ ଯୋଧପୁରର ଓସିୟା ଅଞ୍ଚଳର ଚେରାଇ ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ଘରର ମୁଖିଆ ପୁନରାମ ଘର ବାହାରେ ପଡ଼ିଥିବା ଖଟରେ ଶୋଇଥିଲେ। ଉକ୍ତ ସମୟରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦେଇଥିଲେ। ଏହାପରେ ସେମାନେ ଘର ଭିତରକୁ ଯାଇ ଶାଶୂ, ବୋହୂ ଓ ଶିଶୁଟିକୁ ନିର୍ମମ ଭାବେ ହତ୍ୟା କରିଥିଲେ।

ହତ୍ୟା କରିବା ପରେ ୪ ମୃତଦେହକୁ ଟାଣି ଟାଣି ଘର ଅଗଣାକୁ ନେଇ ସେଥିରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ମୃତକମାନେ ହେଲେ ୫୫ ବର୍ଷୀୟ ପୁନରାମ, ତାଙ୍କ ପତ୍ନୀ ୫୦ ବର୍ଷୀୟ ବନୱାରୀ, ବୋହୂ ୨୪ ବର୍ଷୀୟା ଧାପୁ ଓ ୬ ମାସର ନାତୁଣୀ । ଏମାନଙ୍କ ଶରୀର ୩୦ ପ୍ରତିଶତ ପୁରା ଜଳିଯାଇଛି । ୬ ମାସର ଶିଶୁକନ୍ୟାର ଶରୀର ସଂପୂର୍ଣ୍ଣ ଜଳିଯାଇଛି । ମୃତକଙ୍କ ପରିବାର ଚାଷବାସ କରି ପରିବାର ଚଳନ୍ତି।

ଘଟଣା ବିଷୟରେ ସୂଚନା ମିଳିବା ପରେ ଯୋଧପୁର ଗ୍ରାମୀଣ ଏସପି ଧମେନ୍ଦ୍ର ସିଂ ଯାଦବ ଏବଂ ଜିଲ୍ଲାପାଳ ହିମାଂଶୁ ଗୁପ୍ତା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୋଲିସ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି । ତେବେ କେହି ଦୁର୍ବୃତ୍ତ ପୂର୍ବ ଶତ୍ରୁତା ଯୋଗୁଁ ଏଭଳି ହତ୍ୟାକାଣ୍ଡ କରିଛି । ତେବେ ପୋଲିସ ଏହା ବିଷୟରେ ଛାନଭିନ୍‌ ଜାରି ରଖିଛି । ଏହି ଘଟଣା ପରେ ସମଗ୍ର ଗାଁରେ ଶୋକାକୂଳ ପରିବେଶ ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.